କିଭ୍ ୧୯।୧୧: ଋଷିଆ ଗତ ରାତିରେ ୟୁକ୍ରେନ ଉପରେ ବଡ଼ ଧରଣର ଡ୍ରୋନ ଓ ମିଜାଇଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ଜଣ ଆହତ ହୋଇଛନ୍ତି। ଋଷିଆ ଆକ୍ରମଣରେ ଜନବସତୀ ଅଞ୍ଚଳ ଓ ବିଦ୍ୟୁତ କେନ୍ଦ୍ରକୁ ଟାର୍ଗେଟ୍ କରିଛି। ୟୁକ୍ରେନୀ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ଋଷିଆର ଏହି ଆକ୍ରମଣରେ ଟର୍ଣ୍ଣିପିଲ ସହରର ଏକ ଆପାର୍ଟମେଣ୍ଟ ଗୁରୁତର ପ୍ରଭାବିତ ହୋଇଛି।ରାତି ତମାମ ଜାରିଥିବା ଋଷିଆ ଆକ୍ରମଣରେ ବିଦ୍ୟୁତ ଷ୍ଟେସନ ଓ ପରିବହନ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଇଥିଲା।

ଆକ୍ରମଣ ଯୋଗୁ ଅନେକ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବାଧିତ ହୋଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ବିଦ୍ୟୁତ କାଟ କରାଯାଇଛି। ଏହି ଆକ୍ରମଣରେ ଋଷିଆ ୪୭୦ରୁ ଅଧିକ ଡ୍ରୋନ ଓ ୪୮ଟି ମିଜାଇଲ ମାଡ଼ କରିଛି। ଋଷିଆରେ ଏହି ଆକ୍ରମଣରେ ୟୁକ୍ରେନକୁ ଲାଗି ରହିଥିବା ପୋଲାଣ୍ଡ ଦକ୍ଷିଣ-ପୂର୍ବ କ୍ଷେତ୍ରର କେତେକ ବିମାନ ବନ୍ଦରକୁ ଅସ୍ଥାୟୀ ବନ୍ଦ ଘୋଷଣା କରିଛି। ଋଷିଆ ଏପରି ସମୟରେ ୟୁକ୍ରେନ ଉପରେ ଡ୍ରୋନ ଓ ମିଜାଇଲ ମାଡ଼ କରିଛି ଯେତେବେଳେ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି ସମର୍ଥନ ଯୋଗାଡ ପାଇଁ ତୁର୍କିଏ ଗସ୍ତରେ ଅଛନ୍ତି।

ଜେଲେନସ୍କି ଋଷିଆ ବିରୋଧରେ କୂଟନୈତିକ ସମର୍ଥନ ହାସଲ ପାଇଁ ତୁର୍କିଏ ଯାଇଥିବା ବେଳେ ସେଠାରେ ସେ ଉଚ୍ଚସ୍ତରୀୟ ବାର୍ତ୍ତାରେ ସାମିଲ ହେବେ। ଏଥିରେ ଋଷିଆ ସହିତ କଥାବାର୍ତ୍ତା ପୁଣି ଆରମ୍ଭ କରିବା ପାଇଁ ଚର୍ଚ୍ଚା ବି ହୋଇ ପାରେ। ଜେଲେନସ୍କି ସହଯୋଗୀଙ୍କ ଦ୍ୱାରା ଋଷିଆ ଉପରେ ଚାପ ପକାଇବାକୁ ଉଦ୍ୟମ କରିବେ, ଯାହାଦ୍ୱାରା ଗତ ୪ ବର୍ଷ ହେଲା ଜାରି ଯୁଦ୍ଧ ସମାପ୍ତ କରିବାକୁ ଋଷିଆ ଯେପରି ବିବସ ହୁଏ। ଉଲ୍ଲେଖଯୋଗ୍ୟ ଯେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଶେଷ ଆଲୋଚନା ଜୁଲାଇ ୨୩ ତାରିଖ ଦିନ ତୁର୍କିୟେର ଇସ୍ତାନାବୁଲ ସହରରେ ହୋଇଥିଲା। ଏହା ପରଠାରୁ ଦୁଇ ଦେଶଙ୍କ ମଧ୍ୟରେ ଆଉ ଦ୍ୱିତୀୟବାର ଆଲୋଚନା ହୋଇ ନାହିଁ। ଗତ ବାର୍ତ୍ତାରେ କେବଳ ଯୁଦ୍ଧବନ୍ଦୀଙ୍କ ଆଦାନ ପ୍ରଦାନ ଉପରେ ଚର୍ଚ୍ଚା ହୋଇଥିଲା। ହେଲେ ଯୁଦ୍ଧ ବନ୍ଦ ପାଇଁ ଏପର୍ଯ୍ୟନ୍ତ ସକରାତ୍ମକ ବାର୍ତ୍ତା ହୋଇ ନାହିଁ।