ଭାରତକୁ LNG ଆମଦାନୀ ପାଇଁ ଅଫର ଦେଲା ଋଷିଆ, ଅଶୋଧିତ ତୈଳରେ ମିଳିବ ୫% ରିହାତି

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ ୨୨।୮:   ଭାରତ ଲାଗି ଏକ ଭଲ ଖବର। ଋଷିଆ ଭାରତକୁ ଏକ ବଡ଼ ଅଫର ଦେଇଛି। ଏଥିରେ ଭାରତକୁ ଲିକ୍ୱିଫାଏଡ ନ୍ୟାଚୁରାଲ ଗ୍ୟାସ୍ (ଏଲଏନଜି) ଆମଦାନୀ କରିବାକୁ ରାଜି ଥିବା କହିଛି। କେବଳ ଏତିକି ନୁହେଁ ଭାରତକୁ ୫% ରିହାତିରେ ଅଶୋଧିତ ତୈଳ ମଧ୍ୟ ଦେବାକୁ କହିଛି। ଏହା ଛଡା ଭାରତ ଉପରେ ୫୦% ଟାରିଫ ପରିପ୍ରେକ୍ଷୀରେ ଯଦି ଆମେରିକା ବ୍ୟାପାର ଦ୍ୱାର ବନ୍ଦ କରେ ତେବେ ଋଷିଆ ନିଜ ବଜାରରେ ଭାରତୀୟ  ସାମଗ୍ରୀକୁ ସ୍ୱାଗତ କରିବ ବୋଲି କହିଛି। 

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଋଷିଆ ଗସ୍ତ କାଳରେ ଉପ ପ୍ରଧାନମନ୍ତ୍ରୀ ଡେନିଶ ମଣ୍ଟୁରୋଭଙ୍କ ସହ ତାଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଋଷିଆ ଭାରତ ନିମନ୍ତେ ଏହି ଅଫର ରଖିଛି। ପରମାଣୁ ଶକ୍ତି ଉପରେ ଦୁଇ ଦେଶ ଆହୁରି କାମ କରିବାର ଆବଶ୍ୟକତା ଅଛି ଋଷିଆ ପ୍ରଥମରୁ ଭାରତକୁ ଅଶୋଧିତ ତୈଳ ଓ ପେଟ୍ରୋଲିୟମ ଉତ୍ପାଦ ଯୋଗାଣ କରିଆସୁଛି। ଏବେ ଏହି ସହଯୋଗକୁ ପରବର୍ତ୍ତି ସ୍ତରକୁ ନେଇଯିବାକୁ ଋଷିଆ ଚାହୁଁଛି। ଏଥିରେ ମଣ୍ଟୁରୋଭ କହିଛନ୍ତି ଯେ ଋଷିଆ ପରମାଣୁ କ୍ଷେତ୍ର ଓ ଏଲଏନଜି ରପ୍ତାନୀ ଭଳି କ୍ଷେତ୍ରରେ ଭାରତକୁ ସହଯୋଗ କରିବ। 

ଭାରତ ଏକ ବଡ଼ ଅର୍ଥ ବ୍ୟବସ୍ଥାର ଦେଶ। ଏଥିରେ ଆମେରିକାର ଟାରିଫ ନୀତି ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ପ୍ରଭାବିତ କରିପାରେ। ଏଣୁ ଋଷିଆ ସର୍ବଦା ଭାରତକୁ ସହଯୋଗ କରିବ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ପ୍ରତି ସହଯୋଗ ବଢାଇବାର ଉଚିତ ସମୟ ବୋଲି କହିଛି। ଉଲ୍ଲେଖ ଯୋଗ୍ୟ ଯେ ଭାରତ ଉପରେ ଆମେରିକା ୫୦% ଟାରିଫ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ପ୍ରଥମେ ଭାରତ ଉପରେ ୨୫% ଟାରିଫ ଲାଗୁ କରିବାକୁ ବିଚାର କରିଥିଲେ। ତେବେ ଋଷିଆ ସହ ଭାରତର ବାଣିଜ୍ୟ ସମ୍ପର୍କ ପାଇଁ ଆଉ ଅଧିକ ୨୫% ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି। 

ଆମେରିକାରେ ୨୮ ଅଗଷ୍ଟରୁ ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ ଲାଗୁ ହୋଇଯିବ। ଏଣୁ ଅନୁମାନ କରାଯାଉଛି ଏହାର ପ୍ରଭାବ ଭାରତ ଉପରେ ପଡିବ। ଏଥିରେ ଋଷିଆର ଅଫର ଭାରତକୁ ଅନେକ ପରିମାଣରେ ଆଶ୍ୱସ୍ତ କରିପାରିବ ବୋଲି ଆକଳନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.