ୟୁକ୍ରେନ୍‌ ଉପରେ ଋଷର ସବୁଠାରୁ ବଡ ଆଟାକ୍‌, ନିକ୍ଷେପ କଲା ୪୦୦ ଡ୍ରୋନ୍‌ ଏବଂ ୪୦ ମିସାଇଲ୍‌

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ ୦୭।୦୬: ଋଷ ନେଲା ଅପରେସନ୍‌ ସ୍ପାଇଡରଓ୍ବେବ୍ର ପ୍ରତିଶୋଧ । ୟୁକ୍ରେନ୍‌ ଉପରେ ସବୁଠାରୁ ବଡ ଆକ୍ରମଣ କରିଛି ଋଷ । ସାରା ଦେଶରେ ୪୦୦ରୁ ଅଧିକ ଡ୍ରୋନ୍‌ ଏବଂ ୪୦ ମିସାଇଲ୍‌ ନିକ୍ଷେପ କରିଛି । ଏହି ଆଟାକ୍‌ କିଭ୍‌ ଦ୍ବାରା ଦେଶର ରଣନୈତିକ କ୍ରୁଜ୍‌ ମିସାଇଲ୍‌ ବାହାକଙ୍କୁ ଟାର୍ଗେଟ କରି କରିଥିଲା ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଶନିବାର ଏକ୍ସରେ ଏକ ଟ୍ବିଟ୍‌ କରିଥିଲେ । ସେ କହିଛନ୍ତି   ‘ଆଜି ଆମ ଦେଶର ବିଭିନ୍ନ ଅଞ୍ଚଳ ଏବଂ ସହରଗୁଡ଼ିକରେ ଦିନସାରା ଉଦ୍ଧାର ଏବଂ ଜରୁରୀକାଳୀନ କାର୍ଯ୍ୟ ଜାରି ରହିଛି । ଋଷ ଦ୍ୱାରା ୪୦୦ରୁ ଅଧିକ ଡ୍ରୋନ୍, ୪୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ଏଥିରେ ୮୦ ଜଣ ଆହତ ହୋଇଛନ୍ତି ଏବଂ କିଛି ଏବେ ବି ଭଗ୍ନାବଶେଷ ତଳେ ଥାଇପାରନ୍ତି’ । ସେ ଆହୁରି କହିଛନ୍ତି ‘ଦୁର୍ଭାଗ୍ୟବଶତଃ, ବିଶ୍ୱର କେହି ବି ଏପରି ଆକ୍ରମଣକୁ ନିନ୍ଦା କରନ୍ତିନି। ପୁଟିନ୍ ଏହାର ସୁଯୋଗ ନିଅନ୍ତି। ସେ ଯୁଦ୍ଧ ଜାରି ରଖିବା ପାଇଁ ନିଜକୁ ସମୟ ଦେଉଛନ୍ତି’ ।

ସିଏନ୍‌ଏ୍ ଅନୁଯାୟୀ, ୟୁକ୍ରେନୀୟ ରାଜ୍ୟ ଜରୁରୀକାଳୀନ ସେବାର ସୂଚନା ଅନୁଯାୟୀ, କିଭରେ ୩ ଜଣ ଅଗ୍ନିଶମ କର୍ମଚାରୀ, ଲୁସ୍କରେ ଦୁଇଜଣ ସାଧାରଣ ନାଗରିକ ଏବଂ ଚେର୍ନିହିଭରେ ଆଉ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି । ମୋଟାମୋଟି ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଋଷର ଏହି ସାମରିକ ଆକ୍ରମଣ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୟୁକ୍ରେନ୍ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ। ଏଥିରେ ପୁରା ୟୁକ୍ରେନ୍‌କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ କିଭ୍, ଲ୍ଭିଭ୍ ଏବଂ ସୁମି ସମେତ ୯ଟି ଅଞ୍ଚଳ ପ୍ରଭାବିତ ହୋଇଥିଲା।

ତେବେ ଆକ୍ରମଣକୁ ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା କିଭ୍‌ର ‘ଆତଙ୍କବାଦୀ କାମ’ର ଜବାବରେ ଥିଲା । ଋଷ ଗତ ସପ୍ତାହରେ ୟୁକ୍ରେନ୍‌ କରିଥିବା ଅପରେସନ୍ ସ୍ପାଇଡରଓ୍ବେବ୍କୁ ଉଲ୍ଲେଖ କରିଛି । ଯେଉଁଥିରେ ରୁଷର ଏକ ତୃତୀୟାଂଶ କ୍ରୁଜ୍ ମିସାଇଲ୍ ବାହକଙ୍କୁ ୟୁକ୍ରେନ୍‌ ସେନା ଟାର୍ଗେଟ କରିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.