News7 Logo

ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ହିଁ ୟୁକ୍ରେନକୁ ଧ୍ୱଂସ ବିଧ୍ୱଂସ କରି ଦେଇଛି ରୁଷ୍, ୧୩୦୦ରୁ ଅଧିକ ଡ୍ରୋନ୍‌ରେ କରିଛି ଆକ୍ରମଣ

NEWS7
-

କିଭ୍‌ – ଗତ କିଛି ବର୍ଷରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧକୁ ରୋକିବାକୁ ନେଇ ଚେଷ୍ଟା ଚଳେଇଛନ୍ତି। ଏହି ମଧ୍ୟରେ , ରୁଷ୍‌ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ହିଁ ୟୁକ୍ରେନ ଉପରେ ଆକ୍ରମଣ ବୃଦ୍ଧି କରି , ତାର ଅନେକ ଅଞ୍ଚଳକୁ ଧ୍ୱଂସବିଧ୍ୱଂସ କରି ଦେଇଛି। ୟୁକ୍ରେନୀ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ସୂଚନା ଦେଇଛନ୍ତି ଯେ, ରୁଷ୍‌ ସେପ୍ଟେମ୍ୱରର ପୂର୍ବ ଛଅ ଦିନରେ ହିଁ ୟୁକ୍ରେନ୍ ବିରୋଧରେ  ୧,୩୦୦ରୁ ଅଧିକ ଆକ୍ରମଣକାରୀ ୟୁଏଭି ଡ୍ରୋନ୍‌ ଓ ପାଖାପାଖି ୯୦୦ ଗାଇଡେଡ୍‌ ଏରିଆଲ ବୋମା , ଏହାସହ ବିଭିନ୍ନ ପ୍ରକାରର ୫୦ଟି ମିସାଇଲ ମାଡ଼ କରିଛି , ଯାହା ଜାରି ରହିଥିବା ଯୁଦ୍ଧରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୃଦ୍ଧିର ସଙ୍କେତ। ଏକ୍ସରେ ପୋଷ୍ଟ କରାଯାଇ ଥିବା ଏକ ବିସ୍ତୃତ ବିବୃତ୍ତିରେ , ଜେଲେନସ୍କି ରୁଷୀୟ ହମଲାର ଲଗାତାର ଘଟଣାକୁ ନିନ୍ଦା କରିଛନ୍ତି ଏବଂ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ପ୍ରତିବନ୍ଧକ ବୃଦ୍ଧି , ମଜବୁତ ସେନା ସମର୍ଥନ ଓ ଦୀର୍ଘକାଳୀନ ସୁରକ୍ଷା ଗାରେଣ୍ଟିର ଆହ୍ୱାନ କରିଛନ୍ତି।

ଜେଲେନସ୍କି କହିଛନ୍ତି , ସେପ୍ଟେମ୍ୱରର ଆରମ୍ଭରେ ହିଁ , ରୁଷ୍‌ ୟୁକ୍ରେନ ବିରୋଧରେ ୧,୩୦୦ରୁ ଅଧିକ ଆକ୍ରମଣକାରୀ ୟୁଏଭି , ପାଖାପାଖି ୯୦୦ ନିର୍ଦ୍ଦେଶିତ ଏରିଆଲ ବୋମା ଓ ବିଭିନ୍ନ ପ୍ରକାରର ୫୦ରୁ ଅଧିକ ମିସାଇଲ ମାଡ଼ କରିଛି। କାଲି ରାତିରେ ନାଗରିକ ସ୍ଥଳି ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ସବୁ ଆବଶ୍ୟକ ସେବା ଗୁଡ଼ିକ ପ୍ରଭାବିତ ସ୍ଥଳ ଗୁଡ଼ିକରେ କାମ କରୁଛନ୍ତି। ସେ କହିଛନ୍ତି ଯେ , ସେପ୍ଟେମ୍ୱରର ପୂର୍ବ ସପ୍ତାହ ସମୟରେ ୟୁକ୍ରେନର ପାଖାପାଖି ପ୍ରତି କ୍ଷେତ୍ରରେ ବିସ୍ଫୋରକର ସୂଚନା ମିଳିଥିଲା, ଯେଉଁଥିରେ ଚେର୍ନିହାଇଭ୍‌ , ଖାର୍କିଭ୍‌, ଓଡେଶା , କିରୋବୋହ୍ରଦ, ଖମେଲନିତ୍ସକି, ଜାଇଟାମିର , ଭୋଲିନ , ଇଭାନୋ-ଫ୍ରାଙ୍କିଭସ୍କ, ରିଭନେ , ଏବଂ ଲଭିଭ୍‌ ଅଞ୍ଚଳରୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇ ଥିଲା।

ଜେଲେନସ୍କି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଟିପ୍ପଣୀର ମଧ୍ୟ ଉଲ୍ଲେଖ କରିଛନ୍ତି ,ଯେଉଁଥିରେ ସେ ରୁଷୀୟ ତୈଳ ଓ ଗ୍ୟାସ୍‌ ବ୍ୟାପାର ଉପରେ କଡ଼ା ପ୍ରତିବନ୍ଧକ ଲଗାଇବାର ଆବଶ୍ୟକ କହି ଥିଲେ,ଯାହା ଆମେରିକୀୟ ରାଷ୍ଟ୍ରପତିଙ୍କ ଅନୁସାରେ , କିଭ୍‌ ବିରୋଧରେ ମସ୍କୋର ଯୁଦ୍ଧ ପ୍ରୟାସକୁ  ବୃଦ୍ଧି କରାଇଥାଏ । ସେ କହିଛନ୍ତି , ରୁଷ୍‌ ଏହି ଯୁଦ୍ଧକୁ ବଢାଇବାରେ ଲାଗିଛି ଏବଂ କୂଟନୀତିକୁ ସଂପୂର୍ଣ୍ଣ ରୂପେ ପ୍ରହସନରେ ପରିଣତ କରିବାକୁ ଚାହୁଁଛି। ଏହାର ଉତ୍ତର ସମସ୍ତେ ମିଶି ଦେବା ଉଚିତ, ଆକ୍ରମଣ ଓ ବିନାଶ ବିରୋଧରେ , କୂଟନୀତି ପ୍ରୟାସ ଓ ସଭ୍ୟ ଆଲୋଚନା ପ୍ରତି ଅବମାନନା ବିରୁଦ୍ଧରେ । ରାଷ୍ଟ୍ରପତି ଟ୍ରମ୍ପ ସଂପୂର୍ଣ୍ଣ ସତ କହୁଛନ୍ତି ଯେ , କୂଟନୀତିକୁ ଟ୍ରାକ୍‌କୁ ଆଣିବା ପାଇଁ ରୁଷୀୟ ତୈଳ ଓ ଗ୍ୟାସ୍‌ ବ୍ୟାପାର ଉପରେ ପ୍ରଭାବୀ ପ୍ରତିବନ୍ଧକର ଆବଶ୍ୟକ ରହିଛି।