ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ବିନା ବିତର୍କରେ ପାରିତ ହେଲା ନୂଆ ଆୟକର ବିଲ୍

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସୋମବାର ଆଗତ କରାଯାଇଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ବିଲ୍ ଗୋଟିଏ ଦିନରେ ହିଁ ବିନା କୌଣସି ବିତର୍କରେ ପାରିତ ହୋଇଛି । ଲୋକସଭରେ ସୋମବାର ଆୟକର ସହ ଜଡିତ ଦୁଇଟି ବିଲ୍- ଆୟକର (ସଂଖ୍ୟା 2) ବିଧେୟକ ଓ ଟିକସ ଆଇନ (ସଂଶୋଧନ) ବିଲକୁ ପାରିତ କରାଯାଇଛି । ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ର ସ୍ଥାନ ନେବା ପାଇଁ ଏହି ବିଲ୍‌କୁ ଆଗତ କରାଯାଇଥିଲା

ଆୟକର (ସଂଖ୍ୟା ୨) ବିଧେୟକ ୨୦୨୫, ଆୟକର ଅଧିନିୟମ ୧୯୬୧ ସହ ଜଡ଼ିତ ଆଇନକୁ ଏକୀକୃତ ଓ ସଂଶୋଧିତ କରିବା ପାଇଁ ପାରିତ କରାଯାଇଛି । ଅନ୍ୟପଟେ ଟିକସ ଆଇନ (ସଂଶୋଧନ) ବିଧେୟକ ୨୦୨୫, ଆୟକର ଅଧିନିୟମ ୧୯୬୧ ସହ ଆର୍ଥିକ ଅଧିନିୟମ ୨୦୨୫ରେ ସଂଶୋଧନ କରିବ । 

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଧେୟକ ଲୋକସଭାରେ ବିନା କୌଣସି ବିତର୍କରେ ପାରିତ ହୋଇଛି । ଏହି ବିଧେୟକକୁ ଧ୍ୱନିମତରେ ପାରିତ କରାଯିବା ପରେ ଲୋକସଭାର ଗୃହ କାର୍ଯ୍ୟକୁ ପୂରା ଦିନ ପାଇଁ ସ୍ଥିଗତ କରାଯାଇଥିଲା । ଏହି ସମୟରେ ବିରୋଧୀ ସଦସ୍ୟମାନେ ବିମାନରେ ମତଦାନ ସୂଚୀରେ ସଂଶୋଧନକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ।

ଏବେ ଏହି ବିଲକୁ ରାଜ୍ୟସଭାକୁ ପଠାଯିବ ଏବଂ ଏହା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ମାତ୍ରେ ନୂତନ ଆୟକର ବିଲ୍ ଆଇନରେ ପରିଣତ ହେବ । ସରକାରଙ୍କ ଅନୁଯାୟୀ, ନୂତନ ଆୟକର ବିଲ୍ ବର୍ତ୍ତମାନର ଆୟକର ଆଇନର ଆକାର ହ୍ରାସ କରି ଏହାର ଜଟିଳତାକୁ ହ୍ରାସ କରେ । ଏହି ବିଲ୍‌ରେ ପ୍ରଭାବଶାଳୀ ଧାରା ଏବଂ ଅଧ୍ୟାୟର ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି, ଯାହା ଫଳରେ ଏହାର ଶବ୍ଦ ସଂଖ୍ୟା ପ୍ରାୟ ଅଧା ହ୍ରାସ ପାଇଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଇଥିଲେ । ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ର ସ୍ଥାନ ନେବା ପାଇଁ ଏହି ବିଲ୍‌କୁ ଆଗତ କରାଯାଇଥିଲା । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ୨୮୫ ସୁପାରିଶକୁ ସାମିଲ କରି ବିଲର ନୂତନ ସଂଖ୍ୟାକୁ ସୋମବାର ଆଗତ କରାଯାଇଥିଲା ।

ନୂଆ ଆୟକର ବିଲର ଉଦ୍ଦେଶ୍ୟ ୨୯୮-ଧାରାର ଆୟକର ଆଇନ, ୧୯୬୧କୁ ସରଳ ଭାଷାରେ ଲିଖିତ ଏକ ଆଧୁନିକ, କରଦାତା-ଅନୁକୂଳ ଆଇନରେ ପରିଣତ କରିବା । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍‌ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍‌ ୧୯୬୧ରେ ମୋଟ ୮୮୦ ପୃଷ୍ଠା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.