ଆମେରିକା ରାଷ୍ଟ୍ରପତିଙ୍କ ନାରେ ବାସସ୍ଥାନ ପ୍ରମାଣପତ୍ର ପାଇଁ ଆବେଦନ, ପ୍ରଶାସନ ହେଲା ସତର୍କ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୦୬/୦୮: ବିହାରରେ ଚାଲିଛି SIR ସମ୍ପର୍କରେ ଅଭିଯାନ । ଲୋକେ ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ସମସ୍ତିପୁର ଜିଲ୍ଲାର ମୋହିଉଦ୍ଦିନନଗର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା । ଯାହା ପ୍ରଶାସନକୁ ଚକିତ କରିଦେଇଛି । ଏଠାରେ ଜଣେ ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଜନ୍ ଟ୍ରମ୍ପଙ୍କ ନାମରେ ବାସସ୍ଥାନ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରିଥିଲେ । 

ଆବେଦନ ପାଇବା ମାତ୍ରେ ପ୍ରଶାସନ ସତର୍କ ହେବା ସହ ତଦନ୍ତ ଆରମ୍ଭ କରିଛି । ଘଟଣା ପ୍ରଘଟ ହେବା ପରେ ଆବେଦନକୁ ଖାରଜ କରିଦିଆଯାଇଛି। ଏବେ ଏହି ମାମଲାରେ ସାଇବର ଅପରାଧ ଅନୁଯାୟୀ ଏଫଆଇଆର ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଆବେଦନର ସମ୍ପୂର୍ଣ୍ଣ କାହାଣୀ

ଏହି ବାସସ୍ଥାନ ପ୍ରମାଣପତ୍ର ଆବେଦନ ୨୯ ଜୁଲାଇ ୨୦୨୫ । ମୋହିଉଦ୍ଦିନନଗର ଜୋନର ଜନସେବା କେନ୍ଦ୍ରକୁ ଆସିଥିଲା ଅନଲାଇନ୍ ଆବେଦନ । ଆବେଦନ ନମ୍ୱର ଥିଲା ନମ୍ବର BRCCO/୨୦୨୫/୧୭୯୮୯୭୩୫ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଆବେଦନକାରୀଙ୍କ ନାମ ଥିଲା ଡୋନାଲ୍ଡ ଜନ୍ ଟ୍ରମ୍ପ୍‌ । ଆବେଦନ ସହିତ ଏକ ଫଟୋ ମଧ୍ୟ ସଂଲଗ୍ନ ଥିଲା, ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡିଥିଲା କିଛି ହେରଫେର ହେବାର । 

ଆବେଦନରେ ଗାଁ ନାଁ ଥିଲା ହସନପୁର, ୱାର୍ଡ ନମ୍ବର ୧୩ । ପୋଷ୍ଟ ବାକରପୁର, ପୋଲିସ ଷ୍ଟେସନ ମହିଉଦ୍ଦିନନଗର, ବ୍ଲକ ମହିଉଦ୍ଦିନନଗର, ଜିଲ୍ଲା ସମସ୍ତିପୁରର ଠିକଣା ବାସସ୍ଥାନ ଭାବରେ ରେକର୍ଡ କରାଯାଇଥିଲା। ଏହା ସହିତ, ଏକ ଇମେଲ୍ ଆଇଡି ମଧ୍ୟ ଦିଆଯାଇଥିଲା। ଏହି ଆବେଦନ ଜୋନ୍ କାର୍ଯ୍ୟାଳୟର ଅଧିକାରୀଙ୍କ ପାଖରେ ପହଞ୍ଚିବା ମାତ୍ରେ ସମଗ୍ର କାର୍ଯ୍ୟାଳୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ସ୍ପଷ୍ଟ ଥିଲା ଯେ କେହି ଜଣେ ମଜାକ୍‌ କରିବାକୁ ଏପରି ଆବେଦନ କରିଛନ୍ତି । କିନ୍ତୁ ପ୍ରଶାସନ ଏପରି କାର୍ଯ୍ୟକଳାପକୁ ହାଲୁକା ଭାବରେ ନନେବାକୁ ସ୍ଥିର କରିଥିଲା । 

also read...

ପରିଚୟ ପ୍ରମାଣପତ୍ରରେ କୁକୁର ଫଟୋ, ନାଁ ଡଗ୍ ବାବୁ: ଭାଇରାଲ ପରେ ଆକ୍ସନ

ତଦନ୍ତ ହେରଫେର୍‌ ସ୍ପଷ୍ଟ:

ବ୍ଲକ୍ ଡେଭଲପମେଣ୍ଟ୍ ଅଫିସର (BDO) ଡକ୍ଟର ନବକଞ୍ଜ କୁମାର ଓ ସର୍କଲ୍ ଅଫିସର (CO) ବ୍ରିଜେଶ କୁମାର ଦ୍ୱିବେଦୀ ମିଳିତ ଭାବରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଛି । ତଦନ୍ତ ସମୟରେ ଜଣାପଡିଲା ଯେ ଫଟୋ, ଆଧାର ନମ୍ବର, ବାରକୋଡ୍ ଏବଂ ଠିକଣା ସହିତ ହେରଫେର କରାଯାଇଛି। 

ଆବେଦନରେ ଲିପିବଦ୍ଧ ବିବରଣୀ ନକଲି ବୋଲି ଜଣାପଡିଲା । ଏହା ପରେ, ଅଗଷ୍ଟ ୪, ୨୦୨୫ରେ, ରାଜସ୍ୱ ଅଧିକାରୀ ସୃଷ୍ଟି ସାଗରଙ୍କ ଦ୍ୱାରା ଏହି ଆବେଦନକୁ ଆନୁଷ୍ଠାନିକ ଭାବରେ ଖାରଜ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହା ନିର୍ବାଚନ କମିଶନଙ୍କ ବର୍ତ୍ତମାନ ଚାଲିଥିବା ସଂକ୍ଷିପ୍ତ ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ବାଧା ଦେବା କିମ୍ବା ମଜା କରିବା ପାଇଁ ଏକ ପ୍ରୟାସ ବୋଲି ମନେ ହେଉଛି।

ସାଇବର ପୋଲିସ ଷ୍ଟେସନରେ ମାମଲା:

ପ୍ରଶାସନ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସମସ୍ତିପୁର ସାଇବର ପୋଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକରଣ କରିବାକୁ ସୁପାରିଶ କରିଛି। ଏହା ସହିତ, ମାମଲାର ଅଧିକ ତଦନ୍ତ ପାଇଁ ଆବଶ୍ୟକୀୟ କାଗଜପତ୍ର ସାଇବର କ୍ରାଇମ୍ ଟିମ୍ କୁ ପଠାଯାଇଛି। 

ବର୍ତ୍ତମାନ ଏହି ନକଲି ଆବେଦନ କେଉଁ ସ୍ଥାନରୁ, କେଉଁ ଡିଭାଇସ୍ ଏବଂ କେଉଁ IP ଠିକଣା ମାଧ୍ୟମରେ କରାଯାଇଥିଲା ତାହା ଜାଣିବା ପାଇଁ ସାଇବର ସେଲ୍ ର ଦାୟିତ୍ୱ ହେବ। ଏହା ସହିତ, ଆବେଦନକାରୀଙ୍କ ଉଦ୍ଦେଶ୍ୟ କେବଳ ମଜା କରିବା ଥିଲା ନା ଏହା ପଛରେ କୌଣସି ଗଭୀର ଷଡ଼ଯନ୍ତ୍ର ଥିଲା ତାହା ମଧ୍ୟ ତଦନ୍ତ କରାଯାଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.