ନୂଆଦିଲ୍ଲୀ ୨୯/୦୭: ବିହାରରେ ଚାଲିଛି SIR ସମ୍ପର୍କରେ ଅଭିଯାନ । ଲୋକେ ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ସାମ୍ନାକୁ ଆସିଛି ଅଜବ ଘଟଣା । ପାଟନା ସଂଲଗ୍ନ ମସୌଦିର ଘଟଣାକୁ ନେଇ ଚର୍ଚ୍ଚା । ଯଦିଓ ଶୁଣିବାକୁ ଅସତ୍ୟ ଲାଗେ କିନ୍ତୁ ଏହା ସତ୍ୟ । RTPS ପୋର୍ଟାଲ ‘ଡଗ ବାବୁ’ଙ୍କ ଆବାସିକ ପ୍ରମାଣପତ୍ର ଜାରି କରିଛି। ସେପଟେ ସୋସିଆଲ ମିଡିଆରେ ଘଟଣା ଭାଇରାଲ ପରେ ଆକ୍ସନ ନେଇଛି ପାଟନା ପ୍ରଶାସନ । ଆବେଦନକାରୀ, କମ୍ପ୍ୟୁଟର ଅପରେଟର ଓ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି FIR ।
ନାମ ‘ଡଗ ବାବୁ’ । ବାପାଙ୍କ ନାମ ‘କୁତା ବାବୁ’ । ମା’ଙ୍କ ନାମ ’କୁତିଆ ଦେବୀ’ । ଠିକଣା କୌଲିଚକ, ୱାର୍ଡ ନମ୍ବର ୧୫, ନଗର ପରିଷଦ ମସୌଦି । ଫଟୋ ସ୍ଥାନରେ ରହିଛି କୁକୁରର ଫଟୋ । ଏକଥା ଆମ ଲିଖିତ ନୁହେଁ ବରଂ ପାଟନା ଜିଲାର ମସୌଦି ଜୋନ ଅଫିସ ର RTPS ପୋର୍ଟାଲରୁ ଜାରି ହୋଇଥିଲା ଆବାସିକ ପ୍ରମାଣପତ୍ର । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡକ୍ୟୁମେଣ୍ଟରେ ଲେଖାଯାଇଥିବା ଏହି ପ୍ରମାଣପତ୍ରରେ ମସୌଦି ମଣ୍ଡଳ କାର୍ଯ୍ୟାଳୟର ରାଜସ୍ବ ଅଧିକାରୀ ମୁରାରୀ ଚୌହାନଙ୍କ ଡିଜିଟାଲ ହସ୍ତାକ୍ଷର ମଧ୍ୟ ରହିଥିଲା । ସଂଗେ ସଂଗେ ଭାଇରାଲ ହୋଇଥିଲା ପ୍ରମାଣପତ୍ର ।
RTPS ପୋର୍ଟାଲରେ ଖୋଜାହୋଇଥିଲା ପ୍ରମାଣପତ୍ରର ନମ୍ବର । ଜଣାପଡିଲା ଯେ ଏହା ପ୍ରକୃତରେ ଦିଲ୍ଲୀର ଜଣେ ମହିଳାଙ୍କ ନାମ ସହିତ ହୋଇଛି ଲିଙ୍କ । ଆଧାର ଓ ସ୍ବାମୀଙ୍କ ପ୍ରମାଣ ମଧ୍ୟ ଡକ୍ୟୁମେଣ୍ଟ ସହିତ ଲିଙ୍କ ହୋଇଛି। ଏହାର ସ୍ପଷ୍ଟ ଅର୍ଥ ଯେ କେହି ଡକ୍ୟୁମେଣ୍ଟରେ ଏପରି ସେଟିଂ କରିଛନ୍ତି ଯେ ସିଷ୍ଟମ ବି ଘାଇଲା ।
ସେପଟେ ଗଣମାଧ୍ୟମଠାରୁ ଶୁଣି ପ୍ରତିକ୍ରିୟା ରଖିଥିଲେ ସର୍କଲ ଅଫିସର । କହିଥିଲେ ଏହା କୌଣସି ପରିହାସ ବା ଥଟ୍ଟାର ବିଷୟ ନୁହେଁ, ବରଂ ସାଂଘାତିକ ଅବହେଳା । ଘଟଣାର ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ। ଆହୁରି ବି RTPS ଅପରେଟରଙ୍କଠାରୁ ରାଜସ୍ବ କର୍ମଚାରୀ ପର୍ଯ୍ୟନ୍ତ, ଏହି ଡକ୍ୟୁମେଣ୍ଟରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହେବ FIR ।