ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନାରେ ବିକଶିତ ଭାରତ ଗଠନରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, 'ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା । ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ ପ୍ରତିବଦ୍ଧତାର ଏକ ମୁହୂର୍ତ୍ତ ଥିଲା । ଏକ ସଶକ୍ତ, ସମାବେଶୀ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭାରତ ଆଡକୁ ଆମର ସାମୂହିକ ଯାତ୍ରାକୁ ମହାପ୍ରଭୁ ଜଗନ୍ନାଥ ମାର୍ଗଦର୍ଶନ କରିବା ଜାରି ରଖନ୍ତୁ ।'

ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷତାକୁ ନେଇ ରାଜ୍ୟରେ ବେଶ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ ଚାଲିଥିବା କାରଣରୁ ରାଜ୍ୟର ସମସ୍ତ ସାଂସଦମାନେ ଦିଲ୍ଲୀରେ ଅଛନ୍ତି । ରାଜ୍ୟର ଅନେକ ମନ୍ତ୍ରୀ ବି ରାଷ୍ଟ୍ରୀୟ ରାଜଧାନୀରେ ଅଛନ୍ତି । ଯାହା ରାଜ୍ୟରେ କିଛି ଗୋଟେ ବଡ଼ ରାଜନୈତିକ ପରିବର୍ତ୍ତନ ଆଡ଼କୁ ସଂକେତ ଦେଉଥିବା ରାଜନୀତି ବିଷାରଦମାନେ ମତ ଦେଉଛନ୍ତି । ଅନ୍ୟପଟେ ଏହି ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଦିଲ୍ଲୀ ଗସ୍ତ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ବିଭାଗ ଅଦଳବଦଳ ଚର୍ଚ୍ଚାକୁ ବଳ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.