କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରିବାକୁ ଦେଲେ ପ୍ରସ୍ତାବ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୬।୮: ନୂଆଦିଲ୍ଲୀରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଆଶା କରାଯାଇଥିବା ବଳକା ଧାନକୁ ଦୃଷ୍ଟିରେ ରଖି ଆଗାମୀ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । 

ସମୟସୀମା ମଧ୍ୟରେ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାରଙ୍କ ସକ୍ରିୟ ପଦକ୍ଷେପ, ଯେଉଁଥିରେ ବାଜରା ପ୍ରୋତ୍ସାହନ ଏବଂ ସଂରକ୍ଷଣ ଭିତ୍ତିଭୂମିର ପ୍ରସାର ଅନ୍ତର୍ଭୁକ୍ତ, ଉପରେ ମଧ୍ୟ  ଆଲୋକପାତ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର, ପ୍ରଦୀପ ପୁରୋହିତ, ସଙ୍ଗୀତା କୁମାରୀ ସିଂହଦେଓ, ଅନୀତା ଶୁଭଦର୍ଶିନୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାରଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ରାତିରେ ସେ ଦିଲ୍ଲୀରେ ପହଞ୍ଚିଥିଲେ । ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ ଓଡ଼ିଶାରେ ପାଳନ କରିବାକୁ ସେ ନିମନ୍ତ୍ରଣ କରିବେ । ଏହାସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କ ଏହି ଗସ୍ତ ଅବସରରେ ଏକାଠି ବିଜେପିର ରାଷ୍ଟ୍ରୀୟ ମହାସଚିବ ବି.ଏଲ୍. ସନ୍ତୋଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ବିଜେପିର ସାଙ୍ଗଠନିକ ନିଯୁକ୍ତି, ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଏବଂ ଅନ୍ୟାନ୍ୟ ରାଜନୈତିକ ନିଯୁକ୍ତି ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

You Can Read:

ଘରେ ଭିତରେ ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲିଂ କରୁଥିବା ବାପା ଆଣିଲେ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.