ନୂଆଦିଲ୍ଲୀ: ଟେଲିକମ୍ କମ୍ପାନିମାନେ ନିୟମିତ ଭାବରେ ଯେଉଁ ଟାରିଫ୍ ବୃଦ୍ଧି କରୁଛନ୍ତି ତାହା ଆଗକୁ ବି ଜାରି ରହିବ। କାରଣ ଭାରତର ଟେଲିକମ୍ ସେକ୍ଟର ବର୍ତ୍ତମାନ ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ଏଠାରେ ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି, ଇଣ୍ଟରନେଟ୍ର ଚାହିଦା ବି ବଢ଼ୁଛି। ଏମିତିରେ କମ୍ପାନିମାନେ ସେମାନଙ୍କର ARPU ବା ଆଭରେଜ୍ ରେଭେନ୍ୟୁ ପର୍ ୟୁଜରକୁ ବଢ଼ାଇବାକୁ ଚାହୁଁଛନ୍ତି। ତେଣୁ ଆଗକୁ ବି ଏଭଳି ଟାରିଫ୍ ବୃଦ୍ଧି ଜାରି ରହିବ ବୋଲି ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି।
ପଢନ୍ତୁ- ଭୁବନେଶ୍ୱରରେ ଘର କିଣିବା ମହଙ୍ଗା: ଲକ୍ଷ ନୁହେଁ କୋଟିର ବେପାର
ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଆଗାମୀ ଭବିଷ୍ୟତରେ ମୋବାଇଲ ଟାରିଫ୍ରେ ଆହୁରି ବୃଦ୍ଧି କରିବେ ଟେଲିକମ୍ କମ୍ପାନି। ଯାହା ଟେଲିକମ୍ କମ୍ପାନିଙ୍କୁ ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେବ। ମୂଲ୍ୟ ବୃଦ୍ଧି ସହ ଅଧିକ ଗ୍ରାହକ ପ୍ରିମିୟମ ପ୍ଲାନକୁ ସିଫ୍ଟ ହେବେ, ଫଳରେ ପ୍ରତି ଗ୍ରାହକ ଅଧିକ ଖର୍ଚ୍ଚ କରିବେ। ପୂର୍ବରୁ ଟେଲିକମ୍ କମ୍ପାନିମାନେ ୨୦୧୯ ଡିସେମ୍ବର, ୨୦୨୧ ନଭେମ୍ବର ଏବଂ ୨୦୨୪ ଜୁଲାଇରେ ତିନି- ତିନି ଥର ମୋବାଇଲ ରିଚାର୍ଜ ପ୍ଲାନ୍ରେ ବଡ଼ ଧରଣର ପରିବର୍ତ୍ତନ କରିସାରିଛନ୍ତି।
ଟାରିଫ ମୂଲ୍ୟ ବୃଦ୍ଧିର ଆହୁରି ମଧ୍ୟ କାରଣ ରହିଛି। ଭାରତରେ ଟେଲିକମ୍ ସେକ୍ଟରରେ ପ୍ରତିଯୋଗିତା କମ୍। ଯେହେତୁ ନିର୍ଦ୍ଦିଷ୍ଟ ହତଗଣତି କମ୍ପାନୀ ଏ ଦିଗରେ ସକ୍ରିୟ ରହିଛନ୍ତି ଗ୍ରାହକଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ତା' ଛାଡ଼ା ବର୍ତ୍ତମାନ ଦେଶରେ ପୋଷ୍ଟପେଡ୍ ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁସାରେ ଡାଟାର ଡିମାଣ୍ଡ ବି ବଢ଼ୁଛି। ଗ୍ରାହକମାନେ ଏବେ ୧ ଜିବି ଡାଟା ବଦଳରେ ୨ ଜିବି ପ୍ରତିଦିନ ଡାଟା ବାଛୁଛନ୍ତି। ରୋମିଂ ଏବଂ ଓଟିଟି ସେବାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ତେଣୁ ଗତ ପାଞ୍ଚ ବର୍ଷରେ ଟେଲିକମ୍ କମ୍ପାନୀମାନଙ୍କର ରାଜସ୍ବ ଦୁଇଗୁଣା ହୋଇଛି।
ସେପଟେ ଭାରତରେ ସାଟେଲାଇଟ ନେଟୱର୍କ କ୍ଷେତ୍ର ମଧ୍ୟ ବଢ଼ୁଛି। ଏଲନ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍ କମ୍ପାନି ଷ୍ଟାରଲିଙ୍କ୍ ଭାରତରେ ଏୟାରଟେଲ ଏବଂ ଜିଓ ସହ ଚୁକ୍ତି କରିଥିବାବେଳେ ଭୋଡାଫୋନ୍ ଏବଂ ଆଇଡିଆ ସହ ମଧ୍ୟ ଚର୍ଚ୍ଚା ଚାଲିଛି। ତେଣୁ ଏସବୁ ଭିତରେ ଟେଲିକମ୍ କମ୍ପାନିମାନେ ଟାରିଫ୍ ବଢ଼ାଇବା ସ୍ୱାଭାବିକ ବୋଲି ରିପୋର୍ଟରେ କୁହାଯାଇଛି।