ଆଉ ଦୁଇ ଦିନ ପରେ ସରିବ ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | August 23, 2025 IST

ଭୁବନେଶ୍ଵର:  ଖରିଫ୍ ଧାନ ସଂଗ୍ରହ ପାଇଁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ବଢ଼ାଇଛନ୍ତି ସରକାର । ଅବଧି ଶେଷ ପାଇଁ ଆଉ ମାତ୍ର ୨ଦିନ ବାକି ଥିବା ବେଳେ ବିଭିନ୍ନ ସ୍ଥାନରେ ପଞ୍ଜିକରଣ ପାଇଁ ଚାଷୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ହେଲେ ଅନେକ ସ୍ଥାନରେ ଓ୍ବେବ୍ ସାଇଟ୍ ସ୍ଲୋ ହେଉଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ବି ପଞ୍ଜିକରଣରୁ ବଞ୍ଚିତ ହେଉଛନ୍ତି ଚାଷୀ । ଚାଷୀ ପଞ୍ଜିକରଣରେ ଜଟିଳ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ଯୋଗାଣ ମନ୍ତ୍ରୀଙ୍କ ଜବାବ୍ ଏଥର ପୂର୍ବ ରେକର୍ଡ଼ ଭାଙ୍ଗିବ ଚାଷୀ ପଞ୍ଜିକରଣ ।

ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ବଢ଼ାଇଛନ୍ତି ସରକାର । ଏଥିପାଇଁ ସମବାୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଚାଷୀଙ୍କ ଲମ୍ବା ଲାଇନ । ବରଗଡ ଜିଲ୍ଲାରେ ଅନେକ ଚାଷୀ  ପଞ୍ଜିକରଣ ପାଇଁ ଅପେକ୍ଷାରେ ଅଛନ୍ତି । ହେଲେ ୱେବ୍ ସାଇଟ୍ ସ୍ଳୋ ଯୋଗୁଁ ଦିନ ତମାମ ଅପେକ୍ଷା ପରେ ମଧ୍ୟ ପଞ୍ଜିକରଣ କରିପାରି ନାହାନ୍ତି ଚାଷୀ । ଏପଟେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ । ବିଜେଡି କହିଛି, ପଞ୍ଜିକରଣ ପ୍ରକ୍ରିୟାକୁ ଜଟିଳ କରିବା ଦ୍ବାରା ଚାଷୀ ଅସନ୍ତୋଷ ବଢୁଛି । ସରକାର ଗ୍ରାଉଣ୍ଡକୁ ଯାଇ ବାସ୍ତବ ସ୍ଥିତି ଦେଖନ୍ତୁ ।   ସେପଟେ ସମାନ ଅଭିଯୋଗ ଆଣି ବର୍ଷିଛି କଂଗ୍ରେସ । 

Also read: ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି

ସେପଟେ ବିରୋଧୀଙ୍କୁ ତଥ୍ୟ ସହ ଆଇନା ଦେଖାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି,  ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି ।  ସର୍ବାଧିକ ଚାଷୀ ପଞ୍ଜିକରଣ ହୋଇଥିବା ୫ ଜିଲ୍ଲାର ତଥ୍ୟ ଉପରେ ଟିକେ ନଜର ପକାନ୍ତୁ । ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୨୫ହଜାର, ବରଗଡ଼ ଜିଲ୍ଲାରେ ୧ଲକ୍ଷ ୨୨ହଜାର, କଳାହାଣ୍ଡି ଜିଲ୍ଲାରେ ୧ଲକ୍ଷ ୯ହଜାର, ବାଲେଶ୍ବର ଜିଲ୍ଲାରେ ୯୩ହଜାର, ବଲାଙ୍ଗିର ଜିଲ୍ଲାରେ ୮୬ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ୩ ହଜାର୨୦୦ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ବର୍ଷ ୨୦ ଲକ୍ଷ ଚାଷୀ ପଞ୍ଜିକରଣ କରିବା ନେଇ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । 

ରାଜ୍ୟରେ ଚାଷୀଙ୍କୁ ନେଇ ରାଜନୀତି କିଛି ନୂଆ କଥା ନୁହେଁ । ବିଜେପି ସରକାର ଆସିବା ପରେ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡି ଦେଇ ମାଷ୍ଟର ଷ୍ଟୋକ ମାରିଥିଲେ । ଏମିତି କି ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବା ପରେ ଧାନ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢିଥିବା ଦେଖା ଯାଇଛି ।  

କେଉଁ ଜିଲ୍ଲାରେ ପଞ୍ଜିକରଣ କରିଛନ୍ତି କେତେ ଚାଷୀ

ଜିଲ୍ଲା                         ଚାଷୀ ସଂଖ୍ୟା

ଗଞ୍ଜାମ                  ୧ ଲକ୍ଷ ୨୫ ହଜାର

ବରଗଡ                ୧ ଲକ୍ଷ ୨୨ ହଜାର    

କଳାହାଣ୍ଡି              ୧ ଲକ୍ଷ ୯ ହଜାର

ବାଲେଶ୍ବର                 ୯୩ ହଜାର

ବଲାଙ୍ଗିର                    ୮୬ ହଜାର

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.