ବିନା ଅନୁମତିରେ RCB ରଖିଲା ଭିକ୍ଟ୍ରି ପରେଡ, ଘୋଷଣା କଲା ଫ୍ରି ଏଣ୍ଟ୍ରି, ଦଳଚକଟାକୁ ନେଇ ନୂଆ ଖୁଲାସା

Published By : Prameya-News7 Bureau | June 05, 2025 IST

India Today

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ବିଜୟ ଉତ୍ସବ ପାଳନ ସମୟରେ ଘଟିଥିବା ଦଳାଚକଟା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏତେ ବଡ଼ ଘଟଣା କେମିତି ଘଟିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଏବେ ଘଟଣା ସଂପର୍କରେ ବଡ଼ ଖବର ସାମ୍ନାକୁ ଆସିଛି। ଆରସିବି ମ୍ୟାନେଜମେଣ୍ଟ ଆଇପିଏଲ୍ ୨୦୨୫ର ଜୁନ ୩ ତାରିଖ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ସିଟି ପୋଲିସ ସହ ଯୋଗାଯୋଗ କରି ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଭିକ୍ଟ୍ରି ପରେଡର ଅନୁମତି ମାଗିଥିଲା। ହେଲେ ଆରସିବି ଦଳ ପ୍ରବନ୍ଧକ ପୋଲିସର ଅନୁମତିକୁ ଅପେକ୍ଷା ନ କରି ବୁଧବାର ଭିକ୍ଟ୍ରି ପରେଡ୍ ବିଷୟରେ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଆରସିବିର ହ୍ୟାଣ୍ଡେଲରେ କରାଯାଇଥିବା ଏହି ପୋଷ୍ଟ ଭାଇରାଲ୍ ହେବା ସହ କିଛି ଘଣ୍ଟାରେ ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ। 

Also read: RCBର ବିଜୟ ଖୁସିରେ ଟ୍ୱିଟ୍ କଲେ ବିଜୟ ମାଲ୍ୟା, ଜାଣନ୍ତୁ SBI ଲେଖିଲେ କ’ଣ?

ସୂତ୍ର ଅନୁଯାୟୀ, ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ଷ୍ଟାଡିୟମ ବାହାରେ ଭିଡ଼ ଜମିବାରେ ଲାଗିଥିଲା। ଧିରେ ଧିରେ ଭିଡ଼ ଅସମ୍ଭାଳ ହୋଇ ଅନିୟନ୍ତ୍ରିତ ହୋଇଥିଲା। ଆଉ ଭୟଙ୍କର ଦଳାଚକଟା ଘଟିଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ ପୋଲିସ ଆରସିବି ପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ ଯେ, ଭିକ୍ଟ୍ରି ପରେଡ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ଏପରିକି ପୋଲିସ ଆରସିବି ପ୍ରବନ୍ଧକଙ୍କୁ ଭିକ୍ଟ୍ରି ପରେଡ୍ ସ୍ଥଗିତ କରିବା ଏବଂ ଆୟୋଜନ ନ କରିବାକୁ କହିଥିଲା। ହେଲେ ଜୁନ ୪ରେ ଆରସିବି ପ୍ରବନ୍ଧକ ପୋଲିସ ସହ ଆଲୋଚନା ନ କରି ନିଜର ଏକ୍ସ ହ୍ୟାଣ୍ଡେଲରେ ସମୟ ଓ ସ୍ଥାନ ସହିତ ଭିକ୍ଟ୍ରି ପରେଡକୁ ନେଇ ଟୁଇଟ୍ କରିଥିଲା। 

ଏହା ମଧ୍ୟ କୁହାଯାଇଛି ଯେ, ଆରସିବିର ଫ୍ରି ଏଣ୍ଟ୍ରି ପାସ୍ ଘୋଷଣା ପରେ ସ୍ଥିତି ଆହୁରି ବିଗିଡ଼ିଥିଲା। ଏହା ପରେ ପୋଲିସ ଆରସିବିକୁ ଅନ୍ତତଃ ଦର୍ଶକଙ୍କ ରେଜିଷ୍ଟ୍ରେସନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏପରିକି ପୋଲିସ ଉତ୍ସବ ସମାରୋହ ରବିବାର ଆୟୋଜନ କରିବାକୁ ଦଲ ପ୍ରବନ୍ଧକଙ୍କୁ ସୁପାରିଶ କରିଥିଲା। ଯଦ୍ଵାରା ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସକୁ ପର୍ଯ୍ୟାପ୍ତ ସମୟ ମିଳିବ। ସୂତ୍ର ଅନୁସାରେ ରାଜ୍ୟ ସରକାର ମଧ୍ୟ ପୋଲିସର ଅନୁରୋଧକୁ ଅଣଦେଖା କରି ଆରସିବିର ଭିକ୍ଟ୍ରି ପରେଡ ସହ ଆରସିବି ପ୍ରବନ୍ଧକଙ୍କ କାର୍ଯ୍ୟକ୍ରମ ଅନୁସାରେ ଯିବାକୁ ନିର୍ଣ୍ଣୟ ନେଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.