୧୪ ବଲ୍‌ରେ ଅର୍ଦ୍ଧଶତକ, ଡିଓ୍ବାଇ ପାଟିଲ ଟି୨୦ କପରେ କମାଲ କଲେ ବୈଭବ ସୂର୍ଯ୍ୟବଂଶୀ

NEWS7
ratan-tatawill-of-property-worth-10000-crores-

ନୂଆଦିଲ୍ଲୀ: ନିଜ ପ୍ରତିଭା ପାଇଁ ଏବେ ସବୁଠି ପରିଚିତ ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ। ଜଣେ କନିଷ୍ଠ କ୍ରିକେଟର ଭାବେ ସେ ନୂଆ ନୂଆ କିର୍ତ୍ତୀମାନ ରଚୁଥିବାବେଳେ, ତାଙ୍କୁ ସବୁଠୁ ଛୁଟୁଛି ପ୍ରଶଂସାର ସୁଅ। ଏହି କ୍ରମରେ ବୈଭବ ପୁଣି ଏକ ନୂଆ ରେକର୍ଡ କରିଛନ୍ତି। ୨୦୨୬ ଆଇପିଏଲ ପୂର୍ବରୁ ଡିଓ୍ବାଇ ପାଟିଲ ଟି୨୦ କପରେ ସେ ଦେଖାଇଛନ୍ତି ନିଜର ଜଲଓ୍ବା। ଏହି ଫର୍ମାଟରେ ଫେବ୍ରୁଆରୀ ୨୬ରେ ଖେଳାଯାଇଥିବା ମ୍ୟାଚରେ ବୈଭବ କେବଳ ୧୪ ବଲ୍ରେ ଅର୍ଦ୍ଧଶତକ କରି ବିସ୍ଫୋରକ ପାଳି ଖେଳିଛନ୍ତି।

ସୂଚନାଥାଉକି, ଡିଓ୍ବାଇ ପାଟିଲ ଟି୨୦ କପରେ ବୈଭବ, ଡିଓ୍ବାଇ ପାଟିଲ୍ ବ୍ଲୁ ତରଫରୁ ଖେଳୁଛନ୍ତି। ତେବେ ଫେବ୍ରୁଆରୀ ୨୬ରେ ଇଣ୍ଡିଆନ୍ ନାଭି ବିପକ୍ଷରେ ଖେଳିଥିବା ମ୍ୟାଚ୍ରେ ବୈଭବ ୨୨୦ ରନ୍ ଲକ୍ଷ୍ୟର ପିଛା କରିବା ସହ ଆରମ୍ଭରୁ ହିଁ ନିଜର ଆକ୍ରମକ ଖେଳ ଦେଖାଇଥିଲେ। ନିଜର ପାଳିର ପ୍ରଥମ ଓଭରରେ ୪ ବଲ୍ରେ ୧୬ ରନ୍ କରି ସେ ନିଜ ଲକ୍ଷ୍ୟ ସ୍ପଷ୍ଟ କରିଥିଲେ। ଏହାପରେ ୧୨ ବଲ୍ରେ ୪୩ ରନ୍ ପର୍ଯ୍ୟନ୍ତ ପହଞ୍ଚିବା ପରେ ସେ ଛକ୍କା ଏବଂ ଚୌକା ମାରି ପଞ୍ଚମ ଓଭରରେ ହିଁ ନିଜ ଅର୍ଦ୍ଧଶତକ ପୂରା କରିଥିଲେ। ମାତ୍ର ୧୪ ବଲ୍ରେ ହିଁ ନିଜର ଅର୍ଦ୍ଧଶତକ କରିଛନ୍ତି।

ଏହାପରେ ବି ତାଙ୍କର କମାଲ ଜାରି ରହିଥିଲା। ଆଉ ଏକ ଛକ୍କା ମାରିବା ପରେ ୧୯ ବଲ୍ରେ ୬୩ ରନ୍ କରି ସେ ଆଉଟ ହୋଇଯାଇଥିଲେ। ନିଜର ଏହି ଧୂଆଁଧାର ପାଳିରେ ସେ ୬ ଚୌକା ଏବଂ ୫ ଛକ୍କା ମାରି ୩୩୧.୫୮ ବିସ୍ଫୋରକ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଥିଲେ।

ବୈଭବ ପ୍ରଥମ ଥର ଚର୍ଚ୍ଚାକୁ ସେତେବେଳେ ଆସିଥିଲେ ଯେତେବେଳେ ସେ ୨୦୨୫ ଆଇପିଏଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ କରିଥିଲେ। ସେତେବେଳେ ସେ ମାତ୍ର ୧୪ ବର୍ଷର ୩୨ ଦିନ ବୟସରେ ସେ ଲିଗ୍ ଇତିହାସର ସବୁଠୁ ଯୁବ ଶତକବୀର ହୋଇଥିଲେ। ଏହା କୌଣସି ଭାରତୀୟଙ୍କ ଦ୍ବାରା କରାଯାଇଥିବା ସବୁଠୁ ଦ୍ରୁତ ଆଇପିଏଲ ଶତକ ମଧ୍ୟ ହୋଇଥିଲା।

ଯୁବ ସ୍ତରରେ ମଧ୍ୟ ତାଙ୍କ ପ୍ରଦର୍ଶନ ଅସାଧାରଣ ରହିଛି। ୨୫ ୟୁଥ୍ ଓ୍ବାନଡେ ମ୍ୟାଚରେ ସେ ୧୪୧୨ ରନ୍ ୫୬.୪୮ର ହାରାହାରି କରିଥିଲେ। ଯେତେବେଳେକି ୧୬୫. ୭୨ ଷ୍ଟ୍ରାଇକ୍ ରେଟ୍ ତାଙ୍କର ଆକ୍ରାମକ ଶୈଳୀକୁ ଦର୍ଶାଉଛି। ଏହି ସମୟରେ ସେ ଚାରି ଶତକ ଏବଂ ୭ ଅର୍ଦ୍ଧଶତକ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ୧୭୫ ରନ୍ ରହିଥିଲା। ଯାହା ସେ କେବଳ ୮୦ ବଲ୍ରେ ଅଣ୍ଡର- ୧୯ ଓ୍ବାର୍ଲ୍ଡ କପ ଫାଇନାଲରେ କରିଥିଲେ। ଯାହାଦ୍ବାରା ଭାରତ ବିଜୟୀ ହୋଇଥିଲା।

ୟୁଥ ଟେଷ୍ଟରେ ମଧ୍ୟ ସେ ୬ ମ୍ୟାଚରେ ୩୩.୧ର ହାରାହାରି ଏବଂ ୧୩୬.୭୭ର ଦ୍ରୁତ ଷ୍ଟ୍ରାଇକ ରେଟରୁ ରନ୍ କରିଛନ୍ତି। କିନ୍ତୁ ସବୁଠୁ ବଡ଼ ପ୍ରଭାବ ସେ ଟି୨୦ ଫର୍ମାଟରେ ଦେଖାଇଥିଲେ। ଏପର୍ଯ୍ୟନ୍ତ ଖେଳରେ ୧୮ଟି୨୦ ମୁକାବିଲାରେ ବୈଭବ ୭୦୧ ରନ୍ କରିଛନ୍ତି। ଏଥିରେ ତାଙ୍କର ଷ୍ଟ୍ରାଇକ ରେଟ୍ ୨୦୪. ୩୭ ରହିଛି। ନିକଟରେ ବୋର୍ଡ ପରୀକ୍ଷା ଛାଡ଼ିବାକୁ ନେଇ ତାଙ୍କର ଚର୍ଚ୍ଚାରେ ରହିଥିବା ଏହି ଯୁବା ବ୍ୟାଟର ମଇଦାନରେ ନିଜ ପ୍ରଦର୍ଶନରେ ହିଁ ଜବାବ ଦେଇଥିଲେ।