ଭାରତକୁ ଆଘାତ ଦେବାକୁ ସାହସ କରୁଥିବା ଲୋକଙ୍କ ଉଚିତ ଜବାବ ଦେବା ମୋର ଦାୟିତ୍ୱ: ରାଜନାଥ ସିଂହ

Published By : Prameya-News7 Bureau | May 04, 2025 IST

indiatoday

ନୂଆଦିଲ୍ଲୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତକୁ ଆଘାତ ଦେବାକୁ ସାହସ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ତାଙ୍କର ଦାୟିତ୍ୱ ବୋଲି ରବିବାର କହିଛନ୍ତି ରାଜନାଥ।

ପାକିସ୍ତାନ ସହିତ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଥିବାରୁ ତାଙ୍କର ଏଭଳି ମନ୍ତବ୍ୟ ଗୁରୁତ୍ୱର ଭାବେ ଦେଖାଯାଉଛି। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ନିଜେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ପ୍ରମୁଖ ଭାରତୀୟ ନେତାମାନେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି।

ରବିବାର ରାଜନାଥ କହିଛନ୍ତି "ଆମ ଦେଶ ଉପରେ ଆକ୍ରମଣ କରିବାକୁ ସାହସ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ମୋର ଦାୟିତ୍ୱ। ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ନୀତି ଏବଂ ଦୃଢ଼ତା ଜାଣନ୍ତି।" ମିଡିଆ ରିପୋର୍ଟ ଅନୁସାରେ, ଏହି ସପ୍ତାହର ଆରମ୍ଭରେ, ପ୍ରଧାନମନ୍ତ୍ରୀ ଭାରତୀୟ ସଶସ୍ତ୍ର ବାହିନୀକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ  ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ତେଣୁ ଖବୁଶୀଘ୍ର ଭାରତ ଆକ୍ସନ ନେଇପାରେ ବୋଲି କୁହାଯାଉଛି।

ସେପଟେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ମାର୍ଶଲ ଅମର ପ୍ରୀତ ସିଂହ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି। କେବଳ ବାୟୁସେନା ନୁହେଁ, ପିଏମ ମୋଦୀ ତିନି ସେନା(ଜଳ ସ୍ଥଳ ଓ ଆକାଶ) ବାହିନୀର ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଲୋଚନା କରାଯାଇଛି ବୋଲି ସୂଚନା ମିଳିଛି।  

ପହଲଗାମ ହତ୍ୟାକାଣ୍ଡକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ତୁରନ୍ତ ପ୍ରଭାବରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ସାରା ଦେଶରେ ପ୍ରତିରକ୍ଷା ପ୍ରସ୍ତୁତି ବୃଦ୍ଧି ପାଉଥିବା ବେଳେ ବୋର୍ଡ ଏହି ପଦକ୍ଷେପ ନେଇଛି। ସୂଚନା ଥାଉକି ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀର ପହଲଗାମ ବୈଶାରଣ ଉପତ୍ୟାକାରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଧର୍ମ ପଚାରି ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିଲା। ପାକିସ୍ତାନ ପ୍ରୋତ୍ସାହନରେ ବାରମ୍ବାର ଏଭଳି ଆକ୍ରମଣ ହେଉଥିବା ଜଣାପଡିବା ପରେ ଭାରତ ସରକାର ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.