ନୂଆଦିଲ୍ଲୀ: ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି। ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି। ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି। ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି। ଗୁଜରାଟର ଭୁଜ ଏୟାରବେସ୍ ପରିଦର୍ଶନ କରି ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଗତ ସପ୍ତାହରେ ପାକିସ୍ତାନୀ ସେନା ଦ୍ୱାରା ଏହି ଏୟାରବେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା। ସେମାନଙ୍କ ଟାର୍ଗେଟ୍କୁ ପଣ୍ଡ କରିଦେଇଥିଲେ ଭାରତୀୟ ସଶସ୍ତ୍ର ବାହିନୀ। ରାଜନାଥ ଜମ୍ମୁ-କାଶ୍ମୀର ଗସ୍ତ କରି ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ସାମଗ୍ରିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବାର ଗୋଟିଏ ଦିନ ପରେ ଏଠାକୁ ଗସ୍ତ କରିଛନ୍ତି।
ପୂର୍ବରୁ ରାଜନାଥ ସିଂହ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଥିଲେ, 'ମୁଁ ନୂଆଦିଲ୍ଲୀରୁ ଭୁଜ ଯାଉଛି। ଭୁଜ ଏୟାର ବେସ୍ରେ ଆମର ସାହସୀ ବାୟୁ ଯୋଦ୍ଧାମାନଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛି। ତେବେ ଏହି ଏୟାରବେସ୍କୁ ପାକିସ୍ତାନ ଡ୍ରୋନ୍ ଦ୍ୱାରା କ୍ଷତିଗ୍ରସ୍ତ ଉଡାଇଦେଇଥିବା ପାକିସ୍ତାନ ଦାବି କରିଥିଲା। ଯାହା ଏବେ ମିଛ ପ୍ରମାଣିତ ହୋଇଛି।
ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିଥିଲେ। ସେଠାକାର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ଶ୍ରୀନଗରରେ ସେନାଙ୍କୁ ସମ୍ବୋଧିତ କରି ସେ କହିଥିଲେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ ଭାରତର ନୀତିକୁ ପୁନଃପରିଭାଷିତ କରିଛନ୍ତି।' ଏବେ ଭାରତର ନୀତି ହେଉଛି ଯେ ଭାରତୀୟ ମାଟିରେ ଯେକୌଣସି ଆକ୍ରମଣକୁ ଯୁଦ୍ଧ ଭାବରେ ବିବେଚନା କରାଯିବ। ସେ ଅପରେସନ ସିନ୍ଦୂରକୁ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ଆତଙ୍କବାଦ ବିରୋଧୀ ଅପରେସନ ଭାବରେ ସେ ବିବେଚନା କରିଥିଲେ। ଆତଙ୍କବାଦୀମାନେ ଆମ ଲୋକଙ୍କୁ ସେମାନଙ୍କ ଧର୍ମ ଆଧାରରେ ହତ୍ୟା କରିଥିଲେ, ଆମେ ସେମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଦଣ୍ଡ ଦେଇଥିଲୁ। ଏହା ଆମର ଧର୍ମ ଥିଲା।
ମେ ୭ରେ ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ଆକ୍ରମଣ କରିଥିଲା ଭାରତ। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ପରେ ପାକିସ୍ତାନ ୮, ୯ ଏବଂ ୧୦ ମେରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାର ଭାରତୀୟ ସେନା ଉଚିତ ଜବାବ ଦେଇଥିଲା। ଭାରତର ହମଲାରେ ପାକିସ୍ତାନର ଅନେକ ସାମରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା।