ଆମେରିକାରେ ପଶିବେ ରୁଷ ଏବଂ ଚୀନ ! ମାଦୁରୋଙ୍କୁ ଆଣିବାକୁ ବଡ ପ୍ରସ୍ତୁତି, ଏବେ କଣ କରିବେ ଟ୍ରମ୍ପ ?

NEWS7
rajinikanth-receives-golden-visa

ନୂଆଦିଲ୍ଲୀ:ପ୍ରଥମେ ଚେତାବନୀ…ତା’ ପରେ ଧମକ। ତଥାପି ଆମେରିକାର କଥାକୁ ଶୁଣିଲାନି ଭେନେଜୁଏଲା। ଶେଷରେ ପରିଣାମ ହେଲା ଭୟଙ୍କର। ଘରେ ପଶିକି ଆକ୍ରମଣ କଲା ଟ୍ରମ୍ପ ସେନା। ଭେନେଜୁଏଲା ରାଷ୍ଟ୍ରପତି ଏବଂ ତାଙ୍କୁ ପତ୍ନୀଙ୍କୁ ଗିରଫ କଲା ଡେଲଟା ଫୋର୍ସ। ଆମେରିକାର ଏଭଳି ଆକ୍ସନକୁ ନେଇ ସାରା ବିଶ୍ୱରେ ହଇଚଇ। ବିଶ୍ୱ ଏବେ ଭାଗ ଭାଗ। ଟ୍ରମ୍ପଙ୍କ ଔଦ୍ଧତ୍ୟପୂର୍ଣ୍ଣ ବୟାନବାଜିରେ ତାତିଛି ରୁଷ ଏବଂ ଚୀନ। କହିଛନ୍ତି- ଓ୍ୱାଶିଂଟନର ଏଭଳି ନିଷ୍ପତ୍ତି ଚିନ୍ତାଜନକ ଓ ନିନ୍ଦନୀୟ। ଟ୍ରମ୍ପଙ୍କ ଉପରେ ୟୁରୋପୀୟ ସଂଘ ବି ନାଖୁସ୍।ଜାନୁଆରୀ ୩ ତାରିଖ। ଭେନେଜୁଏଲା ଉପରେ ଆଟାକ୍। ବଡ଼ ଯୁଦ୍ଧକୁ ଡେଇଁଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର। ରାଜଧାନୀ କାରାକାସ ଉପରେ ଟ୍ରମ୍ପ ସେନାଙ୍କ ଏୟାର ଷ୍ଟ୍ରାଇକ। ବେଡରୁମ୍ ଭିତରେ ପଶି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରିଛି ଡେଲଟା ଫୋର୍ସ।

ମାଦୁରୋଙ୍କ ହାତରେ ହାତକଡ଼ି, ଆଖିରେ କଳାପଟି ପକାଇ ଆମେରିକୀୟ ସୈନ୍ୟମାନେ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ନ୍ୟୁୟର୍କକୁ ନେଇଯାଇଥିଲେ। ସେମାନେ ଏବେ ଆମେରିକୀୟ ଆଇନ ଅନୁଯାୟୀ ବିଚାରର ସମ୍ମୁଖୀନ ହେବେ। ମାଦୁରୋଙ୍କ ବିରୋଧରେ ଆନ୍ତର୍ଜାତୀୟ ଡ୍ରଗ୍ କାର୍ଟେଲ ସହିତ ମିଶି ଡ୍ରଗ୍ସ ଚୋରା ଚାଲାଣ ଏବଂ ଆମେରିକାରେ ଅବୈଧ ପ୍ରବାସୀମାନଙ୍କୁ ଅନୁପ୍ରବେଶ କରାଇବାର ଅଭିଯୋଗ କରିଛି ଟ୍ରମ୍ପ ପ୍ରଶାସନ।ମାଦୁରୋଙ୍କୁ ଧରିବା ପାଇଁ "ଅପରେସନ୍ ଆବସୋଲ୍ୟୁଟ୍ ରିଜଲ୍ଭ" ଆରମ୍ଭ କରିଥିଲା ଆମେରିକା। ଏହାର ଅର୍ଥ ହେଉଛି କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ। ଏହା ହଠାତ୍ ଆକ୍ରମଣ ନଥିଲା, ବରଂ ଏକ ଦୀର୍ଘକାଳୀନ ଯୋଜନା ଥିଲା।

ଆମେରିକା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପାଇଁ ଗୁପ୍ତ ସାମରିକ ଅଭିଯାନ। ଏହି ଅପରେସନରେ ୧୫୦ ରୁ ଅଧିକ ବିମାନ ସାମିଲ ଥିଲା। ବିମାନ ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଭେନେଜୁଏଲା।ଭେନେଜୁଏଲା ଉପରେ ଆମେରିକାର ହମ୍ଲାକୁ ନିନ୍ଦା କରିଛନ୍ତି ରୁଷ୍, ଚୀନ୍ ଓ ଇରାନ୍ ଭଳି ଅନେକ ରାଷ୍ଟ୍ର। ଏହାଦ୍ୱାରା ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଅସ୍ଥିରତା ଉପୁଜିବା ନେଇ ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପ୍ରଥମ ଦେଶ ଭାବେ ଭେନେଜୁଏଲା ଉପରେ ଆକ୍ରମଣକୁ ଘୋର ନିନ୍ଦା କରିଛି ରୁଷ। କହିଛି, ଆମେରିକାର ହମଲା ପଛରେ କୌଣସି ବୈଧ କାରଣ ନ ଥିଲା। ଓ୍ବାଶିଂଟନର ଏଭଳି ନିଷ୍ପରି ଚିନ୍ତାଜନକ ଓ ନିନ୍ଦନୀୟ।

ରୁଷର ବିଦେଶ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଏହି କାର୍ଯ୍ୟକୁ ଉଚିତ ଦର୍ଶାଇବା ପାଇଁ ଯେଉଁ ବାହାନା କରାଯାଉଛି, ତାହା ନିରର୍ଥକ। ଏଭଳି ସ୍ଥିତିରେ ଆମେ ଭେନେଜୁଏଲା ସହ ଏକାଠି ଛିଡ଼ା ହୋଇଛୁ ବୋଲି ରୁଷ୍ କହିଛି।ଇରାନ୍ ମଧ୍ୟ ଆମେରିକାର ଏୟାରଷ୍ଟ୍ରାଇକ୍କୁ ନିନ୍ଦା କରିଛି। ଓ୍ବାଶିଂଟନ ଭେନେଜୁଏଲାର ରାଷ୍ଟ୍ରୀୟ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କରିଥିବା ଏହା କହିଛି। ଭେନେଜୁଏଲାର ପଡ଼ୋଶୀ ଦେଶ କଲମ୍ବିଆ ଏହାର ସୁରକ୍ଷା ବଢ଼ାଇ ଆମେରିକାର ହମଲାକୁ ବିରୋଧ କରିଛି। ସେପଟେ ଭେନେଜୁଏଲାର ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି ଚୀନ। ଏକ ସାର୍ବଭୌମ ରାଷ୍ଟ୍ର ଉପରେ ଏଭଳି ଔଦ୍ଧତ୍ୟପୂର୍ଣ୍ଣ ଶକ୍ତି ପ୍ରୟୋଗ ଓ ରାଷ୍ଟ୍ରପତି ମାଦୁରୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିନ୍ଦନୀୟ । ଆମେରିକାର ଏଭଳି ପଦକ୍ଷେପ ଆନ୍ତର୍ଜାତିକ ଆଇନର ଉଲଂଘନ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟ କହିଛି।ଭେନେଜୁଏଲା ଆକ୍ରମଣ ପରେ ଉତ୍ତର କୋରିଆ ଆମେରିକାକୁ କଡ଼ା ସନ୍ଦେଶ ଦେଇ ଏକାଧିକ ବାଲିଷ୍ଟିକ ମିଶାଇଲର ପରୀକ୍ଷଣ କରିଛି। ସେପଟେ ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତାପ୍ରକଟ କରିଛି ଜାତିସଂଘ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ଏଭଳି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ପାଇଁ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିପାରେ।

ଭେନେଜୁଏଲାର ପରିସ୍ଥିତି ଯାହା ହେଉନା କାହିଁକି, ଯେକୌଣସି ଦେଶରେ ଏପରି ସାମରିକ ହସ୍ତକ୍ଷେପ ଅନ୍ତର୍ଜାତୀୟ ଆଇନର ନିୟମ ବିରୁଦ୍ଧରେ। ଭେନେଜୁଏଲାରେ ନୁହେଁ ବରଂ ସମଗ୍ର ଅଞ୍ଚଳରେ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଏହି ସମ୍ପୂର୍ଣ୍ଣ ଘଟଣାରେ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ କରାଯାଇ ନାହିଁ।ଭେନେଜୁଏଲା ଉପରେ ଆମେରିକାର ଏତେ ରାଗ କାହିଁକି ? ଦୁଇ ଦେଶ ମଧ୍ୟରେ କଣ ପାଇଁ ହୋଇଛି ବିବାଦ? ଯିଏ ଦିନେ ବନ୍ଧୁ ଥିଲା, ସେ ଆଜି ଚରମ ଶତ୍ରୁ ହୋଇଗଲା କେମିତି ? ଆମେରିକାର ଅଭିଯୋଗ ଡ୍ରଗ୍ସ ଚାଲାଣ କିନ୍ତୁ ଏହା ବାହାନା। ଭେନେଜୁଏଲାର ତେଲ ଉପରେ ଟ୍ରମ୍ପଙ୍କ ଆଖି। ଦିନ ଥିଲା ଭେନେଜୁଏଲାଠାରୁ ବୃହତ ମାତ୍ରାରେ ଅଶୋଧିତ ଦେଇ କିଣୁଥିଲା ଆମେରିକା। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ୱାଭାବିକ ଥିଲା । ଦୈନିକ ୫ ଲକ୍ଷ ବ୍ୟାରେଲ୍ ଆମଦାନି କରୁଥିଲା।

ଚୀନ୍, ରୁଷକୁ ତେଲ ବିକିବାରୁ ବଢ଼ିଥିଲା ବିବାଦ। ଟ୍ରମ୍ପ ଶପଥ ନେବା ପରେ ଭେନେଜୁଏଲାକୁ ବାରମ୍ବାର ଟାର୍ଗେଟ କରିଥିଲେ। ଏହି ଦେଶ ବୃହତ ମାତ୍ରାରେ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗ କରିଥିଲେ।ବିଶେଷଜ୍ଞଙ୍କ ଅନୁସାରେ, କୁଟନୈତିକ କାରଣରୁ ଭେନେଜୁଏଲା ଉପରେ ଆମେରିକା ଆର୍ଥିକ କଟକଣା ଲଗାଇ ନାହିଁ I ବରଂ ତେଲକୁ ନେଇ ଏହି କଟକଣା ଲାଗିଛି। ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଭେନେଜୁଏଲରେ ସର୍ବାଧିକ ଅଶେଧିତ ତୈଳ ଭଣ୍ଡାର ରହିଛି। ୨୦୨୩ ସୁଦ୍ଧା ଏହାର ତୈଳ ଭଣ୍ଡାରର ପରିମାଣ ୩୦୩.୨୨ ବିଲିୟନ ବ୍ୟାରେଲ ହେବ। ଏହା ପରେ ସାଉଦି ଆରବ, ଇରାନ, କାନାଡା ପାଖରେ ପ୍ରଚୁର ତୈଳ ଭଣ୍ଡାର ରହିଛି। ଏହି ୪ ଦେଶ ବିଶ୍ୱର ପ୍ରମୁଖ ଦେଶକୁ ତେଲ ରପ୍ତାନୀ କରେ।ଏହି ହମଲା ପଛରେ ତେଲ ହିଁ ପ୍ରକୃତ କାରଣ ଦର୍ଶାଇଛନ୍ତି କୂଟନୈତିକ ବିଶେଷଜ୍ଞ। ସେମାନଙ୍କ ମତରେ ଆମେରିକା ୨୦୧୮ରେ ପ୍ରତିଦିନ ଭେନେଜୁଏଲା ଠାରୁ ପ୍ରାୟ ୫ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କରୁଥିଲା ଆମେରିକା। ଆମେରିକାର ମୋଟ ଅଶୋଧିତ ତୈଳ ଆମଦାନୀ ଏହା ୬.୫ ପ୍ରତିଶତ ଥିଲା। କିନ୍ତୁ ସମ୍ପୂର୍ଣ୍ଣ ତୈଳ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଆମେରିକାର ପ୍ଲାନ ଖୋଜିଲା। ଭେନେଜୁଏଲାର ରାଷ୍ଟ୍ରୀୟ କମ୍ପାନି ପିଡିଭିଏସଏ ଉପରେ ଅନେକ କଟକଣା ଲଗାଇଲା।

ଭେନେଜୁଏଲାଠାରୁ ତେଲ ନ କିଣିବାକୁ ଆମେରିକୀୟ କମ୍ପାନିଙ୍କୁ ବି କୁହାଯାଇଥିଲା । ଫଳରେ ଆମଦାନି ମାତ୍ରା ୫ ଲକ୍ଷ ଗ୍ୟାରେଲ୍ରୁ ୨୦୨୦ରେ ଶୁନକୁ ଖସିଆସିଥିଲା । ଏହାପରେ ଉପାୟ ଶୂନ୍ୟ ହୋଇ ଭେନେଜୁଏଲା ଚୀନ୍, ରୁଷ ଓ ଇରାନ୍ ଭଳି ଦେଶକୁ ରିହାତି ଦରରେ ତେଲ ବିକିଥିଲା । ଏହି ନିଷ୍ପତ୍ତି ପରେ ଆହୁରି କ୍ରୋଧାନ୍ବିତ ହୋଇଥିଲା ଆମେରିକା । ଫଳରେ ଦୁଇଦେଶ ମଧ୍ୟରେ ବିବାଦ ଚରମ ସୀମରେ ପହଞ୍ଚିଥିଲା। ଏହି ଆଳରେ ଭେନେଜୁଏଲା ଉପରେ ନିଶା କାରବର ଅଭିଯୋଗ ଅଣାଯାଇଥିଲା। କିନ୍ତୁ ଏହାକୁ ଖାତିର କରିନଥିଲେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ। ଟ୍ରମ୍ପଙ୍କ କଥା ନମାନିବାରୁ ବଳପୂର୍ବକ ଭାବେ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି।ଗିରଫ ପରେ ଟ୍ରମ୍ପ କହିଛନ୍ତି- ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ସବୁଠୁ ବଡ଼ ହମଲା। ଭେନେଜୁଏଲାରେ ଏବେ ଆମେରିକାର ଶାସନ। ଏବେ କେହି ଆମେରିକାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। ଆମେରିକା କମ୍ ସମୟ ମଧ୍ୟରେ ଯାହା ହାସଲ କରିଛି ବିଶ୍ୱର ଅନ୍ୟ କୌଣସି ଦେଶ ତାହା କରିପାରିନଥିଲା।

ଭେନେଜୁଏଲାର ସମଗ୍ର ସାମରିକ କ୍ଷମତା ଅକାମୀ ହୋଇଗଲା। ଆମର ସେନା ରାତି ଅଧରେ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ସଫଳତାର ସହ ଧରିପାରିଛି। ଏହା ଏପରି ଏକ ଆକ୍ରମଣ ଥିଲା ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦେଖାଯାଇନଥିଲା। ଏହା ଆମେରିକା ଇତିହାସରେ ଆମେରିକୀୟ ସେନାର ସବୁଠାରୁ ଚମତ୍କାର, ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ଟ୍ରମ୍ପ। ଜଣେ ରାଷ୍ଟ୍ର ମୁଖିଆଙ୍କୁ ଏଭଳି ଢ଼ଙ୍ଗରେ ଗିରଫ କରିବାକୁ ନାପସନ୍ଦ କରିଛନ୍ତି ବୈଦେଶିକ ବିଶେଷଜ୍ଞ। ସେମାନେ ଚେତାଇ ଦେଇଛନ୍ତି ଯେ- ଆମେରିକାର ନିରନ୍ତର ଧମକ ଓ ରାଷ୍ଟ୍ର ମୁଖିଆଙ୍କ ପ୍ରତି ଏଭଳି ଆକ୍ସନ ବିଶ୍ୱରେ ଉତ୍ତେଜନା ସୃଷ୍ଟି କରିବ। ଏକ ବିରାଟ ଯୁଦ୍ଧର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।