LIVE TV

ଗଞ୍ଜାମରେ ତମାଖୁ ମୁକ୍ତ ହେବ ସରକାରୀ କାର୍ଯ୍ୟାଳୟ, ନିୟମ ନମାନିଲେ କର୍ମଚାରୀ ଗଣିବେ ୨ ହଜାର ଟଙ୍କା ଜରିମାନା

NEWS7
rajeev-sen-talked-about-his-divorce-with-charu-asopa

ଛତ୍ରପୁର ୧: ନଭେମ୍ବର ୧ ତାରିଖରୁ ଗଞ୍ଜାମ ଜିଲ୍ଲା ସରକାରୀ କାର୍ଯ୍ୟାଳୟ ତମାଖୁ ମୁକ୍ତ ରହିବ । ଏଣିକି ଜିଲ୍ଲାର ଯେକୌଣସି ସରକାରୀ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ତମାଖୁ ସେବନ କରିଲେ ଜରିମାନା ଦେବାକୁ ପଡିବ ଦୁଇ ହଜାର ଟଙ୍କା । ଏହି ଟଙ୍କା ରେଡ୍ କ୍ରସ୍ ପାଣ୍ଠିକୁ ଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ କହିଛନ୍ତି । ପ୍ରଥମେ ଏହା ଜିଲ୍ଲାଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହେବ । କାର୍ଯ୍ୟାଳୟ ଆଗରେ ଫଳକ ବି ଲାଗିବ ତମାଖୁ ମୁକ୍ତ ଅଞ୍ଚଳ । ଶିକ୍ଷାନୁଷ୍ଠାନ ଗୁଡିକର ପାଚେରୀରୁ ୧୦୦ ମିଟର ପର୍ଯ୍ୟନ୍ତ ତମାଖୁ ମୁକ୍ତ କରାଯିବ । ଦୋକାନ ଗୁଡିକରେ କଡାକଡି ଯାଞ୍ଚ କରାଯିବ । ଧରାପଡିଲେ ଜରିମାନା ପକାଯିବ ।

ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବାଲୁଙ୍କେଶ୍ବର ଷଡ଼ଙ୍ଗୀ ତମାଖୁ ସେବନର କୁପରିଣାମ ଓ ଏହାରର ନିରାକରଣ ଉପରେ ବିଶଦ୍ ଭାବେ ବୁଝାଇଥିଲେ । ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ତମାଖୁ ସେବନ ଦ୍ବାରା ସାରା ବିଶ୍ବରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ତମାଖୁ ସେବନ ଅଣ ସଂକ୍ରାମକ ରୋଗର ପ୍ରମୁଖ କାରଣ ବୋଲି ଜଣାପଡିଛି । ତମାଖୁ ସେବନ ଦ୍ବାରା ଭାରତ ବର୍ଷରେ ପ୍ରତି ବର୍ଷ କର୍କଟ, ହୃଦ୍ ରୋଗ, ଶ୍ବାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପ୍ରାୟ ଲକ୍ଷାଧିକ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାଆନ୍ତି । ସମସ୍ତ ପ୍ରକାର ତମାଖୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ତମାଖୁ ସେବନର କୁପରିଣାମ ବିଷୟରେ ସଚେତନ କରିବା ସହ ଏହାର ପ୍ରଚାର ପ୍ରସାରକୁ ବ୍ୟାପକ କରି ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ସମସ୍ତେ ଲାଗିପଡିବା ଉଚିତ ବୋଲି ଜିଲ୍ଲାପାଳ କୀର୍ତ୍ତିଭାସନ୍ କହିଥିଲେ । ତମାଖୁ ମୁକ୍ତ ଗ୍ରାମ ତଥା ଗଞ୍ଜାମ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ ।