ଧରାଲୀ ୧୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଧରାଲୀରେ ଗତ ଅଗଷ୍ଟ ୫ ତାରିଖ ଦିନ ହୋଇଥିବା ବାଦଲଫଟା ବର୍ଷା ଜନିତ ବିନାଶ ପରେ ଗତ ୧୨ ଦିନ ହେଲା ଉଦ୍ଧାର ଅଭିଯାନ ଜାରି ରହିଛି। ଏଥିରେ ରେସ୍କ୍ୟୁ ଟିମ୍ ପାଖାପାଖି ୪୦୦ ବର୍ଷ ପୁରୁଣା ମା ରାଜରାଜେଶ୍ୱରୀଙ୍କ ରୂପା ମୂର୍ତ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଉଦ୍ଧାର ହୋଇଛି। ଏହି ମୂର୍ତ୍ତିକୁ ୨୫ ଫୁଟ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୂର୍ତ୍ତିରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଲଗାଯାଇଥିବା ବିନ୍ଦି ମଧ୍ୟ ସୁରକ୍ଷିତ ଅଛି।
ରିପୋର୍ଟ ଅନୁସାରେ ଏହି ମୂର୍ତ୍ତିକୁ ଏକ ଗଛମୂଳେ ପୋତି ହୋଇପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ରାଜରାଜେଶ୍ୱରୀଙ୍କ ମୂର୍ତ୍ତି ସହିତ ରଖାଯାଇଥିବା କଟାର, ପାଞ୍ଚ ପାଣ୍ଡବ ଓ ଶିବଙ୍କ ପଞ୍ଚମୁଖି ମୂର୍ତ୍ତି ମଧ୍ୟ ସୁରକ୍ଷିତ ମିଳିଛି। ଉଲ୍ଲେଖଯୋଗ୍ୟଯେ ଧରାଲୀ ଗ୍ରାମର ପ୍ରବେଶ ଦ୍ୱାର ନିକଟରେ ରାଜରାଜେଶ୍ୱରୀ ମାତାଙ୍କ ଦେବଦାରୁରେ ନିର୍ମିତ ପ୍ରାଚୀନ ମନ୍ଦିର ଥିଲା। ତେବେ ପାହାଡ ପ୍ରଳୟରେ ଏହି ମନ୍ଦିରଟି ଧ୍ୱଂସ୍ତ ହୋଇଛି।
୧୬ ଅଗଷ୍ଟ ଶନିବାର ଜଣେ ଗ୍ରାମୀଣ ମାତାଙ୍କ ଚୁନରୀ ଦେଖି ସେହି ସ୍ଥାନରେ ଖୋଳିବା ପାଇଁ ବର୍ଡର ରୋଡ ଅର୍ଗାନେଇଜେସନ (ବିଆରଓ) ଅଧିକାରୀମାନଙ୍କୁ ନିବେଦନ କରିଥିଲେ। ସେହି ଅନୁସାରେ ସ୍ଥାନଟିକୁ ଖୋଳାଯିବାରେ ୨୫ ଫୁଟ ତଳୁ ମାଁଙ୍କ ମୂର୍ତ୍ତି ଓ ଅନ୍ୟ ମୂର୍ତ୍ତି ସବୁସୁରକ୍ଷିତ ଥିବା ଦେଖାଯାଇଥିଲା। ଗ୍ରାମବାସୀ ମାଙ୍କ ମୂର୍ତ୍ତିକୁ ବାହାର କରି ପୂଜାର୍ଚ୍ଚନା କରିଛନ୍ତି। ଏବେ ମାଙ୍କ ମୂର୍ତ୍ତିକୁ ନିକଟସ୍ଥ ଏକ ହୋଟେଲ ରୁମରେ ସ୍ଥାପନା କରାଯାଇଛି। ଏହି ଘଟଣାକୁ ଗ୍ରାମୀଣ ଚମତ୍କାର ବୋଲି କହିଛନ୍ତି, ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟର ସମୟ ଅତିବାହିତ ହେବା ପରେ ପୁଣି ମନ୍ଦିର ତୋଳି ମାତାଙ୍କୁ ବିରାଜମାନ କରାଯିବ ବୋଲି କହିଛନ୍ତି।