ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେ଼ଙ୍କାନାଳ, କେଉଁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ସେହିପରି ୫ ତାରିଖରେ ଉତ୍ତର, ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ୬ରୁ ବର୍ଷା ବଢ଼ିବ ଓ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ଯ ଓଡ଼ିଶା ଭିଜିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପଟେ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ପଶ୍ଚିମ ସହିତ ଉପକୂଳ ଓଡ଼ିଶାରେ ବର୍ଷା ହେବ ଏବଂ ଏହା ସପ୍ତାହେ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ବିହାର ଓ ଦକ୍ଷିଣ ଉତ୍ତର ପ୍ରଦେଶରେ ରହିଛି ଘୂର୍ଣ୍ଣିବଳୟ, ଯାହା ପ୍ରଭାବରେ ଓଡ଼ିଶାର କେତକ ସ୍ଥାନରେ ବର୍ଷା ହୋଇପାରେ।