ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀ କାର ବ୍ଲାଷ୍ଟ ଆତ୍ମଘାତୀ ହମଲା ନ ଥିଲା, ହଡ଼ବଡ଼ରେ କରାଯାଇଥିଲା ବିସ୍ଫୋରଣ

NEWS7
rain-occur-from-28th-oct-to-30-oct-in-coastal-district-of-odisha

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର କାର ବିସ୍ପୋରଣ ଘଟଣାକୁ ନେଇ ଆସିଛି ବଡ଼ ସୂଚନା। ଏ ପର୍ଯ୍ୟନ୍ତ ଯାଞ୍ଚରୁ ମିଳିଥିବା ସୂଚନା ଅନୁଯାୟୀ କାର ବିସ୍ଫୋରଣ କୌଣସି ଆତ୍ମଘାତୀ ହମଲା ନ ଥିଲା, ବରଂ ଚାପରେ ପଡ଼ି ସନ୍ଦିଗ୍ଧ ଟ୍ରିଗର ଦାବି ଦେଇଥିଲା। ଏଜେନ୍ସି ଆଶଙ୍କା ସନ୍ଦିଗ୍ଧ ଚାପରେ ଆସି ତରବରିଆ ଭାବେ ଘଟଣା ଘଟାଇଛନ୍ତି।

ଏଏନଆଇ ଅନୁଯାୟୀ, ସନ୍ଦିଗ୍ଧ ଆତ୍ମଘାତୀ କାର ବୋମା ବିସ୍ଫୋରଣରେ ସ୍ଵାଭାବିକ ପାଟର୍ଣ୍ଣ ପାଳନ କରି ନାହାନ୍ତି। ତଦନ୍ତରୁ ଏହା ମଧ୍ୟ ଖୁଲାସା ହୋଇଛି ଯେ, ବୋମାଟି ସମୟ ପୂର୍ବରୁ ଫାଟି ଯାଇଥିଲା ଏବଂ ସଂପୂର୍ଣ୍ଣ ବିକଶିତ ହୋଇ ପାରି ନ ଥିଲା। ତେଣୁ ବିସ୍ଫୋରଣ ସ୍ଥଳରେ କୌଣସି ଗର୍ତ୍ତ ସୃଷ୍ଟି ହୋଇ ପାରି ନ ଥିଲା। ବିସ୍ଫୋରଣ ସମୟରେ ଗାଡି ଗତି କରୁଥିଲା। କାରରେ ଥିବା ଆଇଡିରେ ବ୍ୟାପକ କ୍ଷତି କରିବାର କ୍ଷମତା ବି ନ ଥିଲା। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ମାମଲାର ତଦନ୍ତ ଦାୟିତ୍ଵ ଏନଆଇଏକୁ ହସ୍ତାନ୍ତର କରିଛି।

ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ସେ ତଦନ୍ତକାରୀ ଏଜେନ୍ସିକୁ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୋଲିସଠୁ ତଦନ୍ତ ଦାୟିତ୍ଵ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଘଟଣାର ତନ୍ନ ତନ୍ନ ଯାଞ୍ଚ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଫରେନ୍ସିକ ଟିମକୁ ଘଟଣାସ୍ଥଳକୁ ଏକତ୍ରିତ ନମୂନାର ଠିକରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅପରାଧୀଙ୍କ ସନ୍ଧାନ କରିବାକୁ ଗୃହ ମନ୍ତ୍ରୀ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୫ ମିନିଟରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।