ଶ୍ରୀନଗର ୨୭।୮: ଜମ୍ମୁ-କାଶ୍ମୀର କଟରାର ଅର୍ଦ୍ଧ କୁଆଁରୀ ନିକଟରେ ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ଭୀଷଣ ବର୍ଷା ଯୋଗୁ ହୋଇଥିବା ଭୂ-ସ୍ଖଳନ ମୃତ୍ୟୁ ସଂଖ୍ୟା ଇତି ମଧ୍ୟରେ ୩୪କୁ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକେ ଆହତ ହୋଇଛନ୍ତି। ଏବେ ବି ମାଟି ଅତଡା ତଳେ ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି। ଏଣୁ ଊଦ୍ଧାରକାରୀ ଦଳ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।
ସେପଟେ ଭୀଷଣ ବର୍ଷା ଜମ୍ମୁ-କାଶ୍ମୀରରେ ପ୍ରଳୟ ରଚିଛି। ଫଳରେ ଅଚାନକ ବନ୍ୟା ଓ ଭୂ-ସ୍ଖଳନ ଭଳି ପରିସ୍ଥିତି ଉପୁଜିଛି। ଲଗାତାର ବର୍ଷା ଜମ୍ମୁରେ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପାଇଁ ଏବେ ବିପଦ ପାଲଟିଛି। କେତେକ ସ୍ଥାନରେ ପୋଲ ଭୁଶୁଡି ପଡିଥିବା ବେଳେ ବିଜୁଳି ଖୁଣ୍ଟ ଓ ମୋବାଇଲ ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଣୁ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିରେ ଏ ପର୍ଯ୍ୟନ୍ତ ୩,୫୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖା ଯାଇଛି।
ଜମ୍ମୁରେ ବୁଧବାର ସକାଳ ସାଢେ ୮ଟା ସୁଦ୍ଧା ୨୪ ଘଣ୍ଟିଆ ଅବଧିରେ ୨୯୬.୦ ମିଲମିଟର ବର୍ଷା ରେକର୍ଡ ହୋଇଛି। ବୁଧବାରର ଏହି ବର୍ଷା ଜମ୍ମୁରେ ୯ ଅଗଷ୍ଟ ୧୯୭୩ ମସିହାରେ ହୋଇଥିବା ୨୭୨.୬ ମିଲମିଟର ବର୍ଷାର ରେକର୍ଡ ଭାଙ୍ଗି ଦେଇଛି। ଏଥିରେ ଉଦ୍ଦମ ପୁରରେ ଏହି ଅବଧିରେ ୬୨୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ୩୧ ଜୁଲାଇ ୨୦୧୯ରେ ରେକର୍ଡ କରାଯାଇଥିବା ୩୪୨.୦ ମିଲିମିଟର ବର୍ଷାର ଦୁଇ ଗୁଣରୁ ବି ଅଧିକ ବୋଲି ପାଣିପାଗ ବିଜ୍ଞାନ ବିଭାଗ କହିଛି।