ବଲାଙ୍ଗୀର ୧୧।୧୦ : ବଲାଙ୍ଗୀରରେ ନୂଆ ପ୍ରୟାସ । ବୁଲା ଗାଈଙ୍କ ବେକରେ ଲାଗିଲା ରେଡିୟମ । ଜିଲ୍ଲା ପୋଲିସ , କର୍ତ୍ତବ୍ୟ ଫାଉଣ୍ଡେସନ, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ। ରାସ୍ତାରେ ବୁଲୁଥିବା ଗାଈଙ୍କ ଲାଗି ଘଟୁଥିବା ଦୁର୍ଘଟଣା ଏବଂ ଚାଳକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।  

ଶନିବାର ଦିନ ସର୍କିଟ ହାଉସ ରାସ୍ତାର ବାବ ଟାଙ୍ଗେଶ୍ୱର ମନ୍ଦିର ସମ୍ମୁଖରୁ ଏହାର ଶୁଭାରମ୍ଭ ହୋଇଛି । ଏହି ରେଡିୟମ ବେଲ୍ଟ ରାତି ସମୟରେ ଚମକିବ। ଯାହାଫଳରେ ଗାଡ଼ିଚାଳକମାନଙ୍କୁ ଗାଈ ଚିହ୍ନଟରେ ସହାୟକ ହେବ ଏବଂ ଏହାଦ୍ୱାରା ଦୁର୍ଘଟଣା ହ୍ରାସ ପାଇବା ସହିତ ପଶୁ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ । ଏହି ପ୍ରୟାସରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ, କର୍ତ୍ତବ୍ୟ ଫାଉଣ୍ଡେସନର ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନ ବୁଲି ବୁଲା ଗାଈ ଗୋରୁମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଥିଲେ । ଏହାସହିତ ବଲାଙ୍ଗୀର ଏସଡିପିଓ, ପାଟଣାଗଡ଼ ଏସ୍‌ଡିପିଓ, ଟାଉନ ଥାନା ଆଇଆଇସିଙ୍କ ସହ ଅନେକ ପୋଲିସ ଅଫିସର ସାମିଲ ଥିଲେ । ​​​​​​​