ଅଗଷ୍ଟ ଶେଷରେ ଭାରତ ଆସିବେ ରାଷ୍ଟ୍ରପତି ପୁଟିନ, ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ ପରେ ଅଜିତ୍ ଡୋଭାଲ୍ କଲେ ସ୍ପଷ୍ଟ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି । ରୁଷର ନ୍ୟୁଜ୍ ଏଜେନ୍ସି ତାସ୍ ଅନୁସାରେ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏହି ସୂଚନା ଦେଇଛନ୍ତି । ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଗୋଇଗୁଙ୍କ ସହ ବୈଠକରେ ଡୋଭାଲ୍ କହିଛନ୍ତି, 'ଏବେ ଆମ ସମ୍ପର୍କ ଅତି ନିବିଡ଼ ହୋଇଛି, ଯାହାକୁ ଆମେ ବେଶ ଗୁରୁତ୍ୱ ମଧ୍ୟ ଦେଉଛୁ । ଆମ ଦୁଇ ଦେଶ ମଧ୍ୟରେ ଏକ ମଜଭୁତ ସହଭାଗିତା ରହିଛି ଓ ଆମେ ଉଚ୍ଚ ସ୍ତରରେ ଏହା ଉପରେ ଆଲୋଚନା କରୁଛୁ ।'

ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ୍ ଡୋଭାଲ୍ ବୁଧବାର ରୁଷ ପହଞ୍ଚିଥିଲେ । ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ଆଲୋଚନା ହୋଇପାରେ । ଅପରେସନ ସିନ୍ଦୂର ଉପରେ ଡୋଭାଲଙ୍କ ଏହା ପ୍ରଥମ ମସ୍କୋ ଯାତ୍ରା ଅଟେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାତାର ଭାରତ ଓ ରୁଷ ସମ୍ପର୍କ ଉପରେ ଟିପ୍ପଣୀ ଭିତରେ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।ରାଷ୍ଟ୍ରପତି ପୁଟିନ ଶେଷ ଥର ପାଇଁ ୨୦୨୧ ଡିସେମ୍ୱର ୦୬ରେ ଭାରତ ଆସିଥିଲେ । ସେତେବେଳେ ସେ କେବଳ ୪ ଘଣ୍ଟା ପାଇଁ ଭାରତ ଆସିଥିଲେ । ପୂର୍ବ ଗସ୍ତ ବେଳେ ଭାରତ ଓ ରୁଷ ମଧ୍ୟରେ ୨୮ ବୁଝାମଣା ସ୍ୱାକ୍ଷର ହୋଇଥିଲା । ଏଥିରେ ମିଲିଟାରୀ ଓ ବୈଷୟିକ ବୁଝାମଣା ସାମିଲ ଥିଲା । ଦୁଇ ଦେଶ ୨୦୫୦ ସୁଦ୍ଧା ୩୦ ବିଲିୟନ ଡଲାର (୨୦ ଲକ୍ଷ ୫୩ ହଜାର କୋଟି ଟଙ୍କା)ର ବାର୍ଷିକ ବାଣିଜ୍ୟ ନେଇ ଟାର୍ଗେଟ୍ ରଖିଥିଲେ ।

୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ସଂଘର୍ଷ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ୨୦୩୦ ପାଇଁ ନୂତନ ଆର୍ଥିକ ରୋଡ୍‌ମ୍ୟାପକୁ ଆଗକୁ ବଢାଯାଇପାରେ । ଭାରତ ଓ ରୁଷ ନିଜର ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣ କରି ବର୍ଷକୁ ୧୦୦ ବିଲିୟନ ଡଲାରରୁ ଅଧିକ କରିବା ଉପରେ ଏକମତ ହୋଇଛନ୍ତି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୬୦ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହେଉଛି ।  ଏହା ପୂର୍ବରୁ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଥର ରୁଷ ଗସ୍ତ କରିଥିଲେ । ବ୍ରିକ୍ସ ସମିଟ୍ ପାଇଁ ଅକ୍ଟୋବର୨୨ରେ ସେ ରୁଷ ଯାତ୍ରା କରିଥିଲେ । ଏହା ପୂର୍ବରୁ ଜୁଲାଇରେ ପିଏମ୍ ମୋଦୀ ଦୁଇ ଦିନିଆ ମସ୍କୋ ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.