କ୍ରେମଲିନ ୭।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୭ ଅଗଷ୍ଟ ଗୁରୁବାର କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ଲାଗି ୟୁନାଇଟେଡ ଆରବ ଏମିରେଟସ୍ (ୟୁଏଇ) ଉପଯୁକ୍ତ ସ୍ଥାନ ହେବ। ଏହି କଥା ଋଷୀୟ ରାଷ୍ଟ୍ରପତି ପୁଟିନଙ୍କ ବିଶେଷ ଦୂତ କିରିଲ ଏ.ଦିମିତ୍ରିଭଙ୍କ ଦ୍ୱାରା ଆଗାମୀ ସପ୍ତାହରେ ଟ୍ରମ୍ପଙ୍କ ସହ ଭେଟ ସମ୍ପର୍କିତ ସୂଚନା ପରେ ପୁଟିନ କହିଛନ୍ତି। ୟୁକ୍ରେନ ସହ ଯୁଦ୍ଧବିରତି ପାଇଁ ରାଜି ହେବା ଅଥବା ବ୍ୟାପକ କଟକଣାର ସମ୍ମୁଖୀନ ହେବା ପାଇଁ ଟ୍ରମ୍ପଙ୍କ ଚେତାବନୀ ପରେ ପୁଟିନ-ଟ୍ରମ୍ପ ଆଲୋଚନା ସ୍ଥିରିକୃତ ହୋଇଛି।
ତେବେ ଏହା ପୂର୍ବରୁ ଋଷୀୟ ବିଦେଶ ନୀତି ପରାମର୍ଶଦାତା ୟୁରୀ ଉସାକୋଭ କହିଛନ୍ତି ଯେ ଆମେରିକା ପକ୍ଷଙ୍କ ପରାମର୍ଶ ଅନୁସାରେ ଆଗାମୀ ଦିନରେ ଉଚ୍ଚତମ ସ୍ତରର ଦ୍ୱିପାକ୍ଷୀୟ ବୈଠକ କରିବା ପାଇଁ ସିଦ୍ଧାନ୍ତିକ ରୂପେ ସହମତି ହୋଇଥିଲା। ୟୁଏଇ ନେତା ମହମ୍ମଦ ବିନ ଜାୟଦ ଅଲ ନାହ୍ୟାଙ୍କ କଡରେ ଛିଡା ହୋଇଥିବା ପୁଟିନ କହିଛନ୍ତି ଯେ ଆମର ଏମିତି ମିତ୍ର ଅଛନ୍ତି ଯେଉଁମାନେ ଏପରି ଆୟୋଜନରେ ଆମର ସହାୟତା ନିମନ୍ତେ ସର୍ବଦା ପ୍ରସ୍ତୁତ। ଏଥିରେ ଆମର ଜଣେ ମିତ୍ର ହେଉଛନ୍ତି ୟୁଏଇ ରାଷ୍ଟ୍ରପତି।
ଏହା ପୂର୍ବରୁ ଟ୍ରମ୍ପ ସଂକେତ ଦେଇଥିଲେ ଯେ ସେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଚର୍ଚ୍ଚା ଲାଗି ଆଗାମୀ ସପ୍ତାହରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ପାରନ୍ତି। ହ୍ୱାଇଟ୍ ହାଉସ ଏହା ବି କହିଥିଲା ଯେ ଟ୍ରମ୍ପ, ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲନସ୍କିଙ୍କ ଏକତ୍ର ବୈଠକର ବିଚାର ଖୋଲା ରହିଛି। ତେବେ ଋଷିଆ ପୁଟିନ ଓ ଟ୍ରମ୍ପଙ୍କ ଶିଖର ସମ୍ମିଳନୀକୁ ପୁଷ୍ଟି କରି ପୁଟିନ, ଜେଲନସ୍କି ଓ ଟ୍ରମ୍ପଙ୍କ ତ୍ରିପକ୍ଷୀୟ ଶିଖର ବୈଠକ ନିମନ୍ତେ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି।
ଜେଲନସ୍କିଙ୍କୁ ଭେଟିବା ସମ୍ଭବ, କିନ୍ତୁ...
ଋଷିଆ ରାଷ୍ଟ୍ରପତି ପୁଟିନ କହିଛନ୍ତି ଜେଲନସ୍କିଙ୍କ ସହିତ ସମ୍ଭାବିତ ବୈଠକର ସର୍ତ୍ତ ପୂରଣ ହୋଇନି। ଏହା ଜେଲନସ୍କିଙ୍କ ଦ୍ୱାରା ଋଷିଆ ସହିତ ସିଧା କଥାବାର୍ତ୍ତା ଆହ୍ୱାନର କିଛି ଘଣ୍ଟା ପରେ ଏହି ପ୍ରତିକ୍ରିୟା ଆସିଛି। ପୁଟିନ କ୍ରେମଲିନରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ‘ସ୍ୱଭାବିକ ଭାବେ ମୋତେ ଏଥି ପାଇଁ କୌଣସି ଆପତ୍ତି ନାହିଁ, ଏହା ସମ୍ଭବ ଅଟେ, ହେଲେ ଏଥି ପାଇଁ କିଛି ସର୍ତ୍ତ ରଖିବାକୁ ହେବ। ହେଲେ ଦୁର୍ଭାଗ୍ୟର କଥା ଆମେ ଏବେବି ଏହି ସର୍ତ୍ତ ପ୍ରସ୍ତୁତିରୁ ବହୁତ ଦୂରରେ ଅଛୁ’। ଏହା ପୂର୍ବରୁ ଜୁନ ପ୍ରାରମ୍ଭରେ ପୁଟିନ କହିଥିଲେ ଯେ ସେ ଜେଲନସ୍କିଙ୍କୁ ଭେଟିବାକୁ ପ୍ରସ୍ତୁତ, ତେବେ କେବଳ ୩ ବର୍ଷରୁ ଅଧିକ କାଳ ହେଲା ଚାଲିଥିବା ସଂଘର୍ଷ ସମାପ୍ତ କରିବା ପାଇଁ କଥାବାର୍ତ୍ତାର ଚୂଡ଼ାନ୍ତ ପର୍ଯ୍ୟାୟ କାଳରେ।