ବାଂଲାଦେଶରେ ଡାକ୍ତରୀ ପଢୁଛନ୍ତି ୯ ହଜାର ଭାରତୀୟ, ସୁରକ୍ଷା ପାଇଁ ମୋଦୀଙ୍କୁ ଅନୁରୋଧ କଲା ଛାତ୍ର ସଙ୍ଘ

NEWS7
puri-news-today-12

ନୂଆଦିଲ୍ଲୀ, ୨୪/୧୨: ଭାରତୀୟ ଛାତ୍ରଙ୍କ ସୁରକ୍ଷା ପାଇଁ ଅନୁରୋଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କଲେ ଜମ୍ମୁ-କାଶ୍ମୀର ଷ୍ଟୁଡେଣ୍ଟସ୍ ଆସୋସିଏସନର କର୍ମକର୍ତ୍ତା । ବାଂଲାଦେଶରେ ବଢୁଥିବା ହିଂସାରେ ଭାରତୀୟ ଛାତ୍ରଙ୍କ ପାଇଁ ଚିନ୍ତା ପ୍ରକଟ କରିଛି ଛାତ୍ରସଙ୍ଘ । ସେମାନଙ୍କୁ ଭାରତ ସରକାର ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ଦାବି କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଛାତ୍ର ସଙ୍ଘ କହିଛି ଯେ, ବାଂଲାଦେଶରେ ଭାରତୀୟ ଛାତ୍ରଙ୍କ ସୁରକ୍ଷା ଜରୁରୀ । ଦେଶର ଅନେକ ମେଡିକାଲ ଛାତ୍ର ବାଂଲାଦେଶରେ ପାଠ ପଢୁଛନ୍ତି । ସଙ୍ଘର ନେତା ନାସିର ଖୁଏହାମି କହିଛନ୍ତି ଯେ, ବାଂଲାଦେଶରେ ପ୍ରାୟ ୯ ହଜାର ଭାରତୀୟ ଛାତ୍ର ପାଠ ପଢୁଛନ୍ତି । କେବଳ କାଶ୍ମୀରରୁ ୪ ହଜାର ଛାତ୍ର ବାଂଲାଦେଶରେ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି ।

ନାସିର ଆହୁରି କହିଛନ୍ତି ଯେ, ବାଂଲାଦେଶରେ ରହୁଥିବା ଛାତ୍ରଙ୍କୁ ନିଜର ପରିଚୟ ଲୁଚାଇବା ପାଇଁ କୁହାଯାଇଛି । ସେଠାରେ ଜଣେ ଛାତ୍ର ନେତାଙ୍କ ମୃତ୍ୟୁ ପରେ ଅସନ୍ତୋଷର ନିଆଁ ଜଳୁଛି । ଯାହାର ପରିଣାମ ଭାରତୀୟ ଛାତ୍ର ଭୋଗୁଛନ୍ତି । ବହୁତ ଛାତ୍ର ନିଜ ହଷ୍ଟେଲରୁ ବାହାରି ପାରୁ ନାହାଁନ୍ତି । ସେମାନଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିଛି । ଭାରତରେ ରହୁଥିବା ସେମାନଙ୍କ ଅଭିଭାବକ ଚିନ୍ତାରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଦିଗରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ । ଯଦି ସ୍ଥିତି ଆହୁରି ଖରାପ ହୁଏ ତାହାଲେ ଭାରତ ସରକାର ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ପ୍ରୟାସ କରନ୍ତୁ ବୋଲି ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି ।

ଜେକେଏସଏ କହିଛି ଯେ, ସେମାନେ ଭାରତ ନାଗରିକଙ୍କ ପାଇଁ ସଦାବେଳେ ବାହାରୁଛନ୍ତି । ଦେଶର ନେତା ମୋଦୀଙ୍କ ପ୍ରତି ସଙ୍ଘର ବିଶ୍ୱାସ ରହିଛି । ଭାରତୀୟ ଛାତ୍ରଙ୍କ ସୁରକ୍ଷା ପାଇଁ ସରକାର ନିଶ୍ଚୟ ପଦକ୍ଷେପ ନେବେ । ଏହା ସରକାରଙ୍କ ଦାୟିତ୍ୱ । ଛାତ୍ରମାନେ ଆଗାମୀ ଦିନର ଡାକ୍ତର । ସେମାନେ ଦେଶକୁ ସେବା ଯୋଗାଇବେ । ସେମାନଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।