ରାଜ୍ୟର ବିଭିନ୍ନ ଜଳାଶୟରେ ଚାଲିଛି ପକ୍ଷୀ ଗଣନା, ୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ନିୟୋଜିତ

NEWS7
puri-jagannath-temple-banakalagi-ritual-today

ଭୁବନେଶ୍ୱର ୧୮।୦୧ : ଆଜି ସକାଳୁ ରାଜ୍ୟର ବିଭିନ୍ନ ଜଳାଶୟରେ ଚାଲିଛି ପକ୍ଷୀ ଗଣନା । ଚିଲିକାର ୫ଟି ରେଞ୍ଜ- ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡ଼ାରେ ମୋଟ ୨୨ଟି ଟିମ୍ ପକ୍ଷୀ ଗଣନା କରୁଛନ୍ତି। ପକ୍ଷୀ ଗଣନାରେ ବିଶେଷଜ୍ଞ, ଗବେଷକ, ଟୁରିଷ୍ଟ ଗାଇଡ୍ ଏବଂ OUAT ର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ପକ୍ଷୀ ଗଣନା ପାଇଁ ୧୮ଟି ଟିମ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି l ମୁଖ୍ୟତଃ କନିକା, ରାଜନଗର, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ଏହି ୫ଟି ରେଞ୍ଜରେ ଏହି ଗଣନା କାର୍ଯ୍ୟ ହେଉଛି।

ସେପଟେ ହୀରାକୁଦ ଜଳଭଣ୍ଡାରରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ସନ୍ଧ୍ୟା ୫ଟାରେ ସରିବ । ଏନେଇ ୨୧ଟି ସେକ୍ଟର କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନବିଭାଗ ଡିଭିଜନ ଅଧିନରେ ପକ୍ଷୀଗଣନା ପାଇଁ ମୋଟ ୪୯ ଟି ୟୁନିଟ ଗଠନ କରାଯାଇଛି l ସାମନ୍ତରାପଲ୍ଲୀରେ ୮ ଟି ୟୁନିଟ କରାଯାଇଥିବା ବେଳେ, ଖଲ୍ଲିକୋଟରେ ୧୫ଟି, ବ୍ରହ୍ମପୁର ରେ ୧୩ ଟି ଓ ଦିଗପହଣ୍ଡି ରେ ୧୩ ଟି ୟୁନିଟ କରାଯାଇଛି l ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁଳଡିହା ଅଭୟାରଣ୍ୟ ଓ ନୀଳଗିରି ପଦ୍ମତୋଳା ବାର୍ଡ ନେଷ୍ଟିଂ ପଏଣ୍ଟ ରେ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଚାଲିଛି । ସେପଟେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି । ପକ୍ଷୀଙ୍କ କଳରବ ରେ କମ୍ପୁଛି ରାଜନଗର ବୈତରଣୀ ନଦୀର ଚଢେଇକୁଦର ଘାଟ।