ଭୁଲ୍‌ରେ ସୀମା ପାର ହୋଇ ପାକିସ୍ତାନ ଜେଲରେ ପଞ୍ଜାବର ଯୁବ ଚାଷୀ , କୋର୍ଟ ଶୁଣାଇଲେ ମାସେ ସଜା

Published By : Prameya-News7 Bureau | August 03, 2025 IST

ଚଣ୍ଡିଗଡ଼ : ପାକିସ୍ତାନର ଜେଲ୍‌ରେ ପଞ୍ଜାବର ଜଣେ ଯୁବ ଚାଷୀ। ସେ ଅଜାଣତରେ ପାକିସ୍ତାନ ସୀମା ପାର ହୋଇ ଯାଇଥିଲେ। ଯେଉଁଥି ପାଇଁ ତାକୁ ମିଳିଛି ଜେଲ ଦଣ୍ଡ। ପଞ୍ଜାବର ଫାଜିଲ୍କା ଜିଲ୍ଲାର ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଛି ଗାଁ ଖୈରେକେ ଉତାଡା। ଏହି ଗାଁର ନିଖୋଜ ଯୁବ ଚାଷୀ ଅମୃତପାଲ ସିଂହ। ସେ ଏବେ ପରିବାର ଲୋକଙ୍କୁ ଭିଡ଼ିଓ ପଠାଇ ଏହି ସୂଚନା ଦେଇଛନ୍ତି। ଅମୃତପାଲଙ୍କୁ ଇସଲାମାବାଦର ଜେଲ୍‌ରେ ରଖାଯାଇଛି। ପାକିସ୍ତାନର କୋର୍ଟ ମାସେ ସଜା ଓ ୫୦ ହଜାର ଟଙ୍କା ଜୋରିମନା ଦଣ୍ଡ ଶୁଣାଇଛନ୍ତି। ଜୋରିମନା ଦିଆ ନଗଲେ ତାଙ୍କୁ ଆଉ ୧୫ ଦିନ ଜେଲ୍‌ରେ ରହିବାକୁ ହେବ। 

ଅମୃତପାଲଙ୍କ ପିତା ଜୁଗରାଜ ସିଂହ କହିଛନ୍ତି ,ଏହି ନିଷ୍ପତ୍ତିରେ ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି, କାରଣ କୋର୍ଟ ସଜା ପୂରା ହେବା ପରେ ତାଙ୍କୁ ଭାରତ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁଗରାଜ ସିଂହ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜୋରିମନା ସେତେବେଳେ ପ୍ରଦାନ କରାଯାଇ ପାରିବ , ଯେତେବେଳେ ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ ଚିଠି ଲେଖିବେ ଯେ, ତାଙ୍କର ଅମୃତପାଲଙ୍କୁ ଦେଶାନ୍ତର କରାଯାଉ। ଜୋରିମନା ପ୍ରଦାନ କରା ନଗଲେ ତାଙ୍କୁ ଆଉ ୧୫ ଦିନ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। 

ସୂଚନା ଆଧାରରେ, ଅମୃତପାଲ ସିଂହ ୧୫ ଜୁନରେ ଭାରତ-ପାକିସ୍ତାନ ସୀମାରେ ଥିବା ନିଜ କ୍ଷେତରେ କାମ କରିବାକୁ ଯାଇଥିଲେ। ତାଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ଫେରିବାର ଥିଲା। କିନ୍ତୁ ବିଏସଏଫ୍‌ର ଗେଟ୍‌ ବନ୍ଦ କରିବା ସୁଦ୍ଧା ଅମୃତପାଲ ଫେରି ନଥିଲେ। ବିଏସଏଫ କର୍ମୀମାନେ ପରେ ଯାଞ୍ଚ କରିବାକୁ ଜଣାପଡ଼ିଲା ଯେ , ଅମୃତପାଲ ଅଜାଣତରେ ସୀମା ପାରି ହୋଇ ଯାଇଛନ୍ତି। 

ବିଏସଏଫ୍‌ ପାର୍‌ ରେଞ୍ଜର୍ସଙ୍କ ସହ ଫ୍ଲାଗ ମିଟିଂ କରିବା ବେଳେ ସେ କହିଥିଲେ , ପାକିସ୍ତାନର ସୀମାକୁ ଏମିତି କୌଣସି ବ୍ୟକ୍ତି ପ୍ରବେଶ କରି ନାହାନ୍ତି ଏବଂ ତାଙ୍କ ପାଖରେ ଏମିତି କୌଣସି ସୂଚନା ନାହିଁ। ଅନ୍ୟପଟେ ନିଖୋଜ କୃଷକଙ୍କ ପରିବାର ଲୋକଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପୁଅକୁ ପାକିସ୍ତାନୀ ରେଞ୍ଜର୍ସ ଉଠାଇ ନେଇଗଲେ ଏବଂ ମିଛ କହୁଛନ୍ତି।

ପରିବାର ଲୋକେ ନିଖୋଜ ଅମୃତପାଲଙ୍କ ତଲାସ ପାଇଁ ବିଏସଏଫ୍‌କୁ ଅନୁରୋଧ କରିବାକୁ ବିଏସଏଫ ଯବାନମାନେ ଫେନସିଙ୍ଗ ପାର କ୍ଷେତ ଗୁଡ଼ିକରେ ସର୍ଚ୍ଚ ଅଭିଯାନ କଲେ , ହେଲେ ତାଙ୍କର ସୁରାକ୍‌ ପାଇଲେ ନାହିଁ। ଚାଷ ଜମିର ମାଟିରେ ଅମୃତପାଲଙ୍କ ପାଦର ଚିହ୍ନ ପାକିସ୍ତାନ ଆଡ଼କୁ ଯାଉଥିବାର ଦେଖି ଥିଲେ। ଭାରତ –ପାକ୍‌ ଅଧିକାରୀଙ୍କ ମଧ୍ୟରେ ଫ୍ଲାଗ୍ ମିଟିଂ ହେଲା । ଏହାପରେ ବିଏସଏଫ୍‌ ପରିବାରକୁ ସୂଚିତ କଲେ ଯେ, ଅମୃତପାଲ ପାକିସ୍ତାନ ଆଡ଼କୁ ଯାଇଛନ୍ତି , କିନ୍ତୁ ପାକ୍‌ ରେଞ୍ଜର୍ସଙ୍କ ମୁତାବିକ ତାଙ୍କୁ ଏମିତି କୌଣସି ବ୍ୟକ୍ତି ମିଳି ନାହାନ୍ତି। ଏବେ କିନ୍ତୁ ସ୍ପଷ୍ଟ ହୋଇଛି ଯେ, ସେ ପାକିସ୍ତାନ ସୀମାକୁ ହିଁ ଚାଲି ଯାଇ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.