LIVE TV

ମନୋଚିକିତ୍ସକ ବି ଶିଖାଇ ପାରିବେ ନାହିଁ; ପାକିସ୍ତାନ ଖେଳାଳିଙ୍କ ପରିହାସ କଲେ ପୂର୍ବତନ ପିସିବି ମୁଖ୍ୟ

NEWS7
IND vs PAK

ନୂଆଦିଲ୍ଲୀ:  ଏସିଆ କପରେ ସୁପର-୪ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳର ଅବସ୍ଥା ବହୁତ ଖରାପ। ଲିଗ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ଯେଉଁଭଳି ଭାବେ ପାକିସ୍ତାନକୁ ଏକତରଫା ଭାବେ ହରାଇଲା, ସେଥିରୁ ଲାଗୁଛି ପଡ଼ୋଶୀ ଦେଶର ଖେଳାଳିଙ୍କ ମନୋବଳ ଭାଙ୍ଗି ଯାଇଛି। ତେଣୁ ଭାରତ ସହିତ ସୁପର-୪ ମ୍ୟାଚ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଡାକ୍ତର ରାହିଲ ନାମକ ଜଣେ ମୋଟିଭେସନାଲ ସ୍ପିକରଙ୍କ ସେବା ନେବାକୁ ପଡ଼ିଛି। ଏହା ମଧ୍ୟରେ ପିସିବିର ପୂର୍ବତନ ଅଧ୍ୟକ୍ଷ ନଜମ ସେଠୀ ପାକିସ୍ତାନ କ୍ରିକେଟ୍ ଦଳର ପରିହାସ କରି କହିଛନ୍ତି, ମନୋଚିକିତ୍ସକ ମଧ୍ୟ ଏହି ଦଳର ଖେଳାଳିଙ୍କୁ ଶିଖାଇ ପାରିବେ ନାହିଁ।

କିଛି ରିପୋର୍ଟରେ କୁହାଯାଇଛି ପିସିବି ମନୋଭେସନାଲ ସ୍ପିକର ନୁହେଁ ବରଂ ଜଣେ ମନୋଚିକିତ୍ସକ ବା ମନୋବିଜ୍ଞାନୀଙ୍କୁ ନିଯୁକ୍ତ କରିଛି। ତାଙ୍କୁ ଏଥିପାଇଁ ଡକାଯାଇଛି ଯଦ୍ଵାରା ସେ ପାକିସ୍ତାନୀ ଖେଳାଳିଙ୍କ ମେଣ୍ଟାଲ ହେଲ୍‌ଥର ଧ୍ୟାନ ରଖି ପାରିବେ।

ଏହାକୁ ନେଇ ପିସିବିର ପୂର୍ବତନ ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି, ମନୋଚିକିତ୍ସକ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କୁ କିଛି ଶିଖାଇ ପାରିବ ନାହିଁ। କାରଣ ସେ ଯେଉଁ ଇଂରାଜୀରେ କହିବେ ତାକୁ ଖେଳାଳି ବୁଝି ପାରିବେ ନାହିଁ। ସେଠୀ ଏହି ଟିପ୍ପଣୀ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ସମା ଟିଭିରେ କହିଛନ୍ତି। ଆଉ ଏହାର କ୍ଲିପ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ସେଠୀ କହିଛନ୍ତି, ମୁଁ ନିଜର କାର୍ଯ୍ୟକାଳରେ ମନୋଚିକିତ୍ସକ ନିଯୁକ୍ତ କରିଥିଲି। ମାତ୍ର ଖେଳାଳି ଏହି ଧରଣର କାମକୁ ସ୍ଵୀକାର କରନ୍ତି ନାହିଁ। ଥେରେପି ଆପଣାଇବା ଆମର ସଂସ୍କୃତି ନୁହେଁ। ବୁଝି ପାରୁଛି ଆମର ବହୁତ ଅପମାନ ହେଉଛି। ତା ଅର୍ଥ କଣ ଆମେ ସାଇକିଏଟ୍ରିଷ୍ଟ  ପାଖକୁ ଯିବା।

ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ଏଠାରେ ମେଣ୍ଟାଲ ହେଲ୍‌ଥର ଅର୍ଥ ପାଗଳ ନା ପାଗଳ ନୁହେଁ। ମାତ୍ର ସବୁଠୁ ରୋଚକ କଥା ଏଥିରୁ ଅଧିକାଂଶ ସାଇକିଏଟ୍ରିଷ୍ଟ ବିଦେଶରେ ପଢିଥାନ୍ତି। ଇଂରାଜୀରେ ହିଁ କହି ଜାଣନ୍ତି। ଆମର ଖେଳାଳିଙ୍କୁ ଏମିତି ଇଂରାଜୀ ବୁଝି ହୁଏନି।ସେମାନଙ୍କୁ ପଞ୍ଜାବୀ କିମ୍ବା ପସ୍ତୋରେ ବୁଝାଇବାକୁ ପଡ଼ିଥାଏ।