ନୂଆଦିଲ୍ଲୀ ସ୧୬।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାୟେରୀ ଓ ଆଇସକ୍ରିମ କ୍ଷେତ୍ରରେ ଦେଶର ନାମୀ କମ୍ପାନୀ ‘କ୍ୱାଲିଟି ଲିମିଟେଡ’ର ପୂର୍ବତନ ପ୍ରମୋଟରଙ୍କ ୪୪୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି। ବ୍ୟାଙ୍କ ଠକେଇ ଅଭିଯୋଗରେ ଦିଲ୍ଲୀ, ହିରୟାଣା ଓ ପଞ୍ଜାବରେ ଏହି ସମ୍ପତ୍ତି ଜବତ ହୋଇଛି। ଇଡି ଗୁରୁବାର ଏହି ସୂଚନା ଦେଇଛନ୍ତି। ଏଜେନ୍ସୀଙ୍କ ସୂଚନା ଅନୁସାରେ ପିଏମଏଲଏରେ ଦିଲ୍ଲୀର ଡିଏଲଏଫ ଛତରପୁରରେ ୧୨ହଜାର ବର୍ଗ ଗଜର ଫାର୍ମ ହାଉସ୍ ମଧ୍ୟ ଏଥିରେ ଜବତ କରାଯାଇଛି।
ଏହା ଛଡା ବସନ୍ତ ବିହାର ଓ ପଞ୍ଜାବୀ ବାଗରେ ଆବସିକ ସମ୍ପତ୍ତି, ହରିୟାଣାର କର୍ଣ୍ଣାଲ ଓ ପଞ୍ଜାବର ମୋହାଲୀରେ ଆବାସୀୟ ଭୂମିକୁ ଅସ୍ଥାୟୀ ରୂପେ ଜବତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ସବୁ ସମ୍ପତ୍ତିର ମୋଟ ବଜାର ମୂଲ୍ୟ ୪୪୨.୮୫ କୋଟି ଟଙ୍କା ହେବ ବୋଲି ଇଡିଙ୍କ ପକ୍ଷରୁ କୁହାଯାଇଛି। ଏହି ସବୁ ସମ୍ପତ୍ତି କ୍ୱାଲିଟି ଲିମିଟେଡର ପୂର୍ବ ପ୍ରମୋଟର ସିଦ୍ଧାନ୍ତ ଗୁପ୍ତା ଓ ସଞ୍ଜୟ ଧିଙ୍ଗରାଙ୍କ ଡମି କମ୍ପାନୀଙ୍କ ନାମରେ ରହିଛି। ଏହି କମ୍ପାନୀମାନଙ୍କରେ ପ୍ରମୋଟରମାନେ ସେମାନଙ୍କ ଡ୍ରାଇଭର ଓ ସୁରକ୍ଷା ଗାର୍ଡଙ୍କୁ ନିର୍ଦ୍ଦେଶକ କରିଥିଲେ।
ଇଡି ଗୁପ୍ତା ଓ ଧିଙ୍ଗରାଙ୍କ ସମ୍ପର୍କିତ ଦିଲ୍ଲୀ ଓ ଏନସିଆରରେ ଥିବା ୧୫ଟି ସ୍ଥାନ ଉପରେ ନଭେମ୍ବର ୨୦୨୪ରେ ଚଢଉ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ଦୁଇଜଣଙ୍କ ନାମରେ ଥିବା ‘ସେଲ’ କମ୍ପାନୀ ମାମଲାରେ କରାଯାଇଥିଲା। ତେବେ କ୍ୱାଲିଟି ଲିମିଟେଡ ବିକ୍ରି ହୋଇ ସାରିଛି ଓ ନୂଆ ମାଲିକ ଏହି ସଂସ୍ଥାକୁ ଚଳାଉଛନ୍ତି। ଇଡି ଏହି ପୁରା ପ୍ରକରଣ ସିବିଆଇ ପକ୍ଷରୁ ୨୦୨୦ ମସିହାରେ ରୁଜୁ ସେହି କେସ୍ ଆଧାରରେ ତିଆରି କରିଛି ଯେଉଁଥିରେ ସିବିଆଇ ଗୁପ୍ତା, ଧିଙ୍ଗରା ଓ କ୍ୱାଲିଟିଙ୍କୁ ଏକ ବ୍ୟାଙ୍କ ସମୂହଙ୍କ ଠାରୁ ୧୪ଶହ କୋଟି ଟଙ୍କା ଋଣ ଠକେଇ କରିବାରେ ଅଭିଯୁକ୍ତ କରିଥିଲା।