ନୂଆଦିଲ୍ଲୀ ୨୪।୯: ବୃନ୍ଦାବନରେ ବାଙ୍କେବିହାରୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୫ ସେପ୍ଟେମ୍ବର ଗୁରୁବାର ନିର୍ଦ୍ଧାରିତ ହୋଇଥିବା ଯାତ୍ରା କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତି ଟ୍ରେନ ଯୋଗେ ନୂଆ ଦିଲ୍ଲୀରୁ ବୃନ୍ଦାବନ ରୋଡ ଷ୍ଟେସନ ପର୍ଯ୍ୟନ୍ତ ଯିବେ। ରାଷ୍ଟ୍ରପତିଙ୍କ ଏହି ଯାତ୍ରା ପାଇଁ ଭାରତୀୟ ରେଳବାଇ ବିଶ୍ୱର ସବୁଠୁ ବିଳାଶମୟ ଟ୍ରେନ ମଧ୍ୟରେ ଅନ୍ୟତମ ‘ମହାରାଜା ଏକ୍ସପ୍ରେସ୍’କୁ ଉପଯୋଗ କରିବ।

ରେଳବାଇଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ୧୮ ବଗିର ଏହି ଟ୍ରେନରେ ମହାରାଜା ଏକ୍ସପ୍ରେସ୍ ର ୧୨ଟି ବଗି ରହିବ। ଏଥିରେ ଏକ ପ୍ରେସିଡେନ୍ସିଆଲ ସୁଇଟ୍, ଡିଲକ୍ସ ସୁଇଟ୍, ରଷ୍ଟୁରାଣ୍ଟ, ଲାଉଞ୍ଜ, ରାଷ୍ଟ୍ରପତି ଓ ତାଙ୍କ କର୍ମଚାରୀଙ୍କ ନିମନ୍ତେ ପାୱାର କାର ମଧ୍ୟ ରହିବ। ସେ କହିଛନ୍ତି ଯେ ନିର୍ବାଧ ସେବା ସୁନିଶ୍ଚିତ କରିବା ପାଇଁ ଟ୍ରେନରେ ୨ଟି ଇଞ୍ଜିନ ଲାଗିବ। ଏଥିରୁ ଗୋଟିଏ ଇଞ୍ଜିନ ଚାଲୁ ରହିବ ଓ ଅନ୍ୟଟି ଯଦି କୌଣସି ବୈଷୟିକତ୍ରୁଟି ଉପୁଜେ ସେଥି ପାଇଁ ସାଙ୍ଗରେ ରହିବ।

ସୂତ୍ର ଅନୁସାରେ ଟ୍ରେନ୍ ଗୁରୁବାର ସକାଳ ୮ଟା ବେଳେ ରାଷ୍ଟ୍ରପତିଙ୍କୁ ନେଇ ସଫଦରଜଙ୍ଗ ଷ୍ଟେସନରୁ ବାହାରିବ। ପାଖାପାଖି ୧୦ଟା  ବେଳେ ବୃନ୍ଦାବନ ରୋଡ ଷ୍ଟେସନରେ ପହଞ୍ଚିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବୟାନ ଅନୁସାରେ ଗସ୍ତ କାଳରେ ରାଷ୍ଟ୍ରପତି ବୃନ୍ଦାବନରେ ଶ୍ରୀ ବାଙ୍କେ ବିହାରୀ ମନ୍ଦିର, ନିଧିବନ ଓ କୁବଜା କୃଷ୍ଣ ମନ୍ଦିରରେ ପୂଜାର୍ଚନା କରିବେ। ସେ ବୃନ୍ଦାବନରେ ସୁଦାମା କୁଟୀର ମଧ୍ୟ ଗସ୍ତ କରିବେ ଓ ମଥୁରାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ଦର୍ଶନ ଓ ପୂଜା କରିବେ।

ଅଧିକାରୀଙ୍କ ସୂଚନା ଅନୁସାରେ କୃଷ୍ଣ ଜନ୍ମସ୍ଥାନ ମନ୍ଦିର ମଥୁରା ଜଙ୍କସନ ନିକଟରେ ହୋଇଥିବାରୁ ରାଷ୍ଟ୍ରପତି ଅପରାହ୍ନରେ ସେଠାରୁ ସ୍ୱତନ୍ତ୍ର ଟ୍ରେନରେ ଫେରସ୍ତ ଦିଲ୍ଲୀ ଯାତ୍ରା କରିବେ। ରେଳବାଇ ସୂତ୍ର ଅନୁସାରେ ପ୍ରାରମ୍ଭିକ ଓ ଗନ୍ତବ୍ୟ ଷ୍ଟେସନ ଦୁଇଟି ଅଲଗା ଅଲଗା ରେଳ ଜୋନ ଉତ୍ତର ରେଲୱେ ଓ ଉତ୍ତର-ମଧ୍ୟ ରେଲୱେ ଅନ୍ତର୍ଗତ ହୋଇଥିବାରୁ ଉଭୟ ଜୋନକୁ ସୁଚାରୁ ଓ ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଲାଗି ନିକଟ ସମନ୍ୱୟ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ ୨୦୨୩ରେ ପ୍ରଥମ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିଥିଲେ। ଏଥିରେ ସେ ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ତାଙ୍କ ଗୃହ ସହର ରାଇରଙ୍ଗପୁର ଟ୍ରେନରେ ଯାତ୍ରା କରିଥିଲେ।