ବଦଳିବ PNBର ନିୟମ, ସଂଶୋଧନ ହେବ ATMରୁ ଦୈନିକ ଉଠାଣ ସୀମା

NEWS7
pregnant-lady-carried-on-cot-for-about-2-km-in-nabarangpur

ନୂଆଦିଲ୍ଲୀ ୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଡେବିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏଥିରେ ବ୍ଯାଙ୍କ ଏଟିଏମରୁ ଦୈନିକ ଉଠାଣର ସୀମା ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନୂଆ ନିୟମ ୧ ଏପ୍ରିଲ ୨୦୨୬ରୁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ଗ୍ରାହକଙ୍କ ଆକାଉଣ୍ଟ ସୁରକ୍ଷା ଆହୁରି ମଜଭୁତ କରିବା ଓ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା।

ବ୍ୟାଙ୍କର ଏପରି କେତେକ ଡେବିଟ କାର୍ଡ ଅଛି ଯେଉଁଥିରେ ଦୈନିକ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ ହୋଇ ପାରୁଥିଲା। ହେଲେ ନୂଆ ନିୟମ ଲାଗୁ ହେବା ପରେ ଏହି ସବୁ ଡେବିଟ କାର୍ଡର ଉଠାଣ ସୀମା ହ୍ରାସ ହୋଇ ୫୦ ହଜାର ଟଙ୍କା ହୋଇଯିବ। ଏହି ପରିବର୍ତ୍ତନରେ ମୁଖ୍ୟତଃ ରୂପୈ ଓ ଅନ୍ୟ ନେଟୱାର୍କର କିଛି କାର୍ଡ ରହିଛି। ଏଥିରେ ରୂପୈ ଏନସିଏମସି ପ୍ଲାଟିନମ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସନାଲ ଡେବିଟ କାର୍ଡ ସମେତ ରୂପୈ ୱମେନ ପାୱାର ପ୍ଲାଟିନମ କାର୍ଡ, ରୂପୈ ପିଏନବି ପ୍ଲସ୍ ଡେବିଟ କାର୍ଡ, ରୂପୈ ବିଜନେସ୍ ପ୍ଲାଟିନମ ଏନସିଏମସି କାର୍ଡ, ମାଷ୍ଟର ପ୍ଲାଟିନମ ଡେବିଟ୍ କାର୍ଡ ଓ ଭିସା ଗୋଲ୍ଡ ଡେବିଟ କାର୍ଡ ଭଳି କାର୍ଡ ସବୁ ରହିଛି।

କିଛି ଏପରି ପ୍ରିମିୟମ ଡେବିଟକାର୍ଡ ଅଛି ଯାହାର ଦୈନିକ ଉଠାଣ ସୀମା ଦେଢ ଲକ୍ଷ ଟଙ୍କା ରହିଛି। ଏବେ ଏପରି କାର୍ଡ ନିମନ୍ତେ ନୂଆ ସୀମା ଦୈନିକ ୭୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି। ବ୍ୟାଙ୍କ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଡେବିଟ୍ କାର୍ଡ ଏହିଲିଷ୍ଟରେ ସାମିଲ ନାହିଁ ସେଗୁଡିକର ଏଟିଏମ ଉଠାଣ ସୀମା ପୂର୍ବ ଭଳି ରହିବ। ଅର୍ଥାତ ଅନେକ ଗ୍ରାହକଙ୍କୁ ଏହି ପରିବର୍ତ୍ତନର ପ୍ରଭାବ ଅନୁଭବ ହେବ ନାହିଁ। ପିଏନବି ତାଙ୍କ ଗ୍ରାହକଙ୍କୁ ନିଜ ଏଟିଏମ ଉଠାଣ ଲିମିଟ୍ ନିଜେ ନିର୍ଦ୍ଧାରଣ କରିବାକୁ ମଧ୍ୟ ସୁବିଧା ଦେଇଛି।

ଏଥି ଲାଗି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ପିଏନବି ୱାନ୍ ମୋବାଇଲ ଆପ୍, ଆଇଭିଆର ସର୍ଭିସ ଓ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ ଭଳି ବିକଳ୍ପ ମଧ୍ୟ ଉପଲବ୍ଧ ରଖିଛି। ବ୍ୟାଙ୍କ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଏଟିଏମ ଉଠାଣ ସୀମା ପରିବର୍ତ୍ତନର ପ୍ରଭାବ ଟ୍ରାଞ୍ଜାକ୍ସନ ଉପରେ ପଡିବ ନାହିଁ। ଦୋକାନରେ କାର୍ଡରୁ ପୈଠ, ଅନଲାଇନ କ୍ରୟ ଓ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଲିମିଟ୍ ପୂର୍ବଭଳି କାର୍ଯ୍ୟ କରିବ। ଏଣୁ ଗ୍ରାହକ ଡିଜିଟାଲ ପୈଠ ସେବା ନିର୍ବାଧରେ ଉପଯୋଗ କରିପାରିବେ।