ପ୍ରଜ୍ଞାନ ଓଝା ହୋଇପାରନ୍ତି BCCI ଚୟନ କମିଟି ସଦସ୍ୟ, ବିରାଟ-ରୋହିତଙ୍କ ପୂର୍ବତନ ଟିମ୍‌ମେଟ୍ ଓଡ଼ିଆ ପୁଅ

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗର୍‌କର୍‌ଙ୍କ କାର୍ଯ୍ୟକାଳକୁ ଜୁନ୍ ୨୦୨୬ ଯାଏଁ ବଢାଇଛି । କିନ୍ତୁ ଚୟନ କମିଟିର ଅନ୍ୟ ଦୁଇ ସଦସ୍ୟଙ୍କ କ୍ଷେତ୍ରରେ ଏହା ଘଟିନାହିଁ । ବିସିସିଆଇ ଚୟନ କମିଟିରେ ଦୁଇ ନୂଆ ସଦସ୍ୟ ନିଯୁକ୍ତି ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଆବେଦନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୦ ରଖାଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସୁଛି । ଧୋନୀ, ରୋହିତ୍ ଓ କୋହଲିଙ୍କ ଟିମ୍ ଏବେ ଅଗର୍‌କର୍‌ଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୧୪୦ରୁ ଅଧିକ ୱିକେଟ୍ ନେଇଥିବା ପୂର୍ବତନ ଖେଳାଳିଙ୍କୁ ବଡ଼ ସୁଯୋଗ ମିଳିପାରେ ।

କ୍ରିକ୍‌ବଜ୍‌ର ରିପୋର୍ଟ ଅନୁସାରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ସିନିୟର ପୁରୁଷ ଚୟନକର୍ତ୍ତା ଟିମର ନୂଆ ସଦସ୍ୟ ହୋଇପାରନ୍ତି । ସାଉଥ୍ ଜୋନରୁ ଆସୁଥିବା ଏସ୍. ସରଥ୍‌ଙ୍କ ସ୍ଥାନରେ ସେ ଚୟନକର୍ତ୍ତା ଟିମରେ ସଦସ୍ୟ ହୋଇପାରନ୍ତି । କେନ୍ଦ୍ରୀୟ ଚୟନ କମିଟିର ଦ୍ୱିତୀୟ ସଦସ୍ୟ କେନ୍ଦ୍ରୀୟ ଜୋନରୁ ଆସିପାରନ୍ତି । ତେବେ, ସେ କାହା ସ୍ଥାନ ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଶିବ ସୁନ୍ଦର ଦାସ ଏବଂ ସୁବ୍ରୋତୋ ବାନାର୍ଜୀଙ୍କୁ ମଧ୍ୟ ବଦଳାଯାଇପାରେ ଉଭୟ ଇଷ୍ଟ୍ ଜୋନ୍‌ର ପ୍ରତିନିଧିତ୍ୱ କରନ୍ତି । ବିସିସିଆଇ ଉତ୍ତର ଜୋନରୁ ଅଜୟ ରାଟ୍ରା ଓ ପଶ୍ଚିମ ଜୋନରୁ ଆସୁଥିବା ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳକୁ ବଢାଇ ସାରିଛି ।

ବିସିସିଆଇର ଆବେଦନ ସର୍ତ୍ତ ଅନୁସାରେ, ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ, ୧୦ଟି ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ଦରକାର । ଏହାଛଡ଼ା ପାଞ୍ଚ ବର୍ଷ ପୂର୍ବରୁ ଅବସର ନେଇଥିବେ ଓ ବିସିସିଆଇ କୌଣସି କ୍ରିକେଟ୍ କମିଟିର ପାଞ୍ଚ ବର୍ଷରୁ ଅଧିକ ସମୟ ଯାଏ ସଦସ୍ୟ ହୋଇନଥିବେ । 

ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ଦିନିକିଆ ଓ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ୧୪୪ ୱିକେଟ୍ ରହିଛି । ୧୦୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମଧ୍ୟ ସେ ଖେଳିଛନ୍ତି । ୨୦୨୦ ଫେବ୍ରୁଆରୀ ୨୧ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହି ସବୁ ଦେଖିବାକୁ ଗଲେ ପ୍ରଜ୍ଞାନ ଓଝା ବିସିସିଆଇ ଦ୍ୱାରା ରଖାଯାଇଥିବା ସମସ୍ତ ସର୍ତ୍ତ ପୂରଣ କରୁଛନ୍ତି । ଚୟନକର୍ତ୍ତା ହେବା ପାଇଁ ସେ ଯୋଗ୍ୟ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.