LIVE TV

ବାଲିଯାତ୍ରା ଉପର ପଡ଼ିଆରେ ଏଯାଏଁ ହୋଇନି ପ୍ରସ୍ତୁତି, ପ୍ରଶାସନ କହୁଛି ଆଗ୍ରହ ଦେଖାଉନାହାନ୍ତି ବ୍ୟବସାୟୀ

NEWS7
police-raids-in-paradip-find-huge-quantity-of-fake-parts-

କଟକ ୧: ଆଉ ତିନି ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ତେବେ ବାଲିଯାତ୍ରା ଯେତିକି ପାଖେଇ ଆସୁଛି, ବିବାଦ ସେତିକି ଢିବାରେ ଲାଗିଛି । ଐତିହାସିକ ବାଲିଯାତ୍ରା ଯେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା, ଜିଲ୍ଲା ପ୍ରଶାସନ ପ୍ରଥମେ ସେହି ସ୍ଥାନ ଅର୍ଥାତ୍ ଉପର ବାଲିଯାତ୍ରା ପଡିଆକୁ ଚଳିତ ବର୍ଷ ଆୟୋଜନରୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଥିଲା । ପରେ ଉପର ପଡ଼ିଆରେ ଆୟୋଜନ ପାଇଁ ଅଦାଲତଙ୍କର କୌଣସି କଟକଣା ନଥିବା ସ୍ପଷ୍ଟ କରିଥିଲେ ହାଇକୋର୍ଟ । ତଥାପି ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ପ୍ରଶାସନ ଉପର ପଡ଼ିଆରେ କୌଣସି ପ୍ରସ୍ତୁତି ଆରମ୍ଭ କରିନାହିଁ ।

ସେପଟେ ଜିଲ୍ଲାପାଳ କହିଛନ୍ତି, ଏଯାଏ ଉପର ପଡିଆରେ ଷ୍ଟଲ କରିବାକୁ ମାତ୍ର ୧୮ଜଣ ବ୍ୟବସାୟୀ ଷ୍ଟଲ ବୁକ୍ କରିଛନ୍ତି । ଏବେ ବି ବ୍ୟବସାୟୀ ମାନେ ଆଗ୍ରହ ପ୍ରକାଶ କଲେ ଯଥେଷ୍ଟ କମ୍ ଦାମରେ ପ୍ଲଟ୍ ଦିଆଯି ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ପ୍ରତି ବର୍ଷ ବାଲିଯାତ୍ରା ଆୟୋଜନରେ ସିଏମସି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଚଳିତ ବର୍ଷ ସିଏମସିକୁ ବାଲିଯାତ୍ରା ଆୟୋଜନରୁ ଜିଲ୍ଲା ପ୍ରଶାସନ ଦୂରେଇ ରଖିଥିବା ବିଜେଡି ଅଭିଯୋଗ କରିଛି । ଏହାସହ ସିଏମସି କାଉନସିଲର ନିର୍ବାଚିତ ପ୍ରତିନିଧି ଓ ମେୟରଙ୍କୁ ବାଲିଯାତ୍ରା ପ୍ରସ୍ତୁତି ଓ ଯାତ୍ରାର ବିଭିନ୍ନ ଉଦଘାଟନରେ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ ମଧ୍ୟ କରୁନଥିବା ଅଭିଯୋଗ ହୋଇଛି ।

ସେପଟେ ଶନିବାର ଠାରୁ ଆରମ୍ଭ ହୋଇଛି ବାଲିଯାତ୍ରା ରଥ । ଏହି ରଥ ୧୦ଟି ଜିଲ୍ଲା ବୁଲି ବାଲିଯାତ୍ରାର  ପ୍ରଚାର ପ୍ରସାର କରି। ଏହି ରଥରେ ସ୍ବତନ୍ତ୍ର ସାଧବ ସାଧବାଣୀ ବେଶରେ ଯୁବକ-ଯୁବତୀ ମାନେ ବିଭିନ୍ନ ସ୍ଥାନ ବୁଲି ବାଲିଯାତ୍ରାର ପ୍ରଚାର ପ୍ରସାର କରିବେ । ଏହାସହ ଚଳିତ ବର୍ଷ ବାଲିଯାତ୍ରାର ଥିମ୍ ସଙ୍ଗ ମଧ୍ୟ ଉନ୍ମୋଚିତ ହୋଇଛି । କମିଶନରେଟ ପୋଲିସର ଏସିପି କୃଷ୍ଣ ଚନ୍ଦ୍ର ସେଠୀ ଏହି ଥିମ୍ ସଙ୍ଗ୍‌ଟି ରଚନା କରିବା ସହ କଣ୍ଠଦାନ ମଧ୍ୟ କରିଛନ୍ତି । ଏସିପି କୃଷ୍ଣଚନ୍ଦ୍ରଙ୍କ ସହ ଏସିପି ସତ୍ୟଜିତ ଦାସ, ସୌଜନ୍ୟା ରଥ ଓ ବିଷ୍ଣୁ ମୋହନ କବି ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଥିମ୍ ସଙ୍ଗ୍‌ର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଳା ଓ ସଙ୍ଗୀତରେ ସଜାଇଛନ୍ତି ପ୍ରଫୁଲ୍ଲ ବେହେରା ।