ଝେଲମ୍‌ ନଦୀରେ ବନ୍ୟା, ଭାସିଲାଣି ପାକିସ୍ତାନର ତଳିଆ ଅଞ୍ଚଳ, ମୁଝାଫରବାଦରେ ୱାଟର ଏମରଜେନ୍ସିଂ ଘୋଷଣା

Published By : Prameya-News7 Bureau | April 27, 2025 IST

ନୂଆଦିଲ୍ଲୀ ୨୭/୪:  ପାଣି ଛାଡିଲା ଭାରତ । ପାକିସ୍ତାନରେ ବନ୍ୟା । ପାକିସ୍ତାନ ଉପରେ ଭାରତର ୱାଟର ଆଟାକ । ଝେଲମ ନଦୀରେ ଅଚାନକ ବନ୍ୟା ଯୋଗୁ ଭାସିଲାଣି ପାକିସ୍ତାନର ତଳିଆ ଅଞ୍ଚଳ । ପିଓକେର ରାଜଧାନୀ ମୁଝାଫରବାଦରେ ୱାଟର ଏମରଜେନ୍ସି ଘୋଷଣା । ବିନା ସୂଚନାରେ ଭାରତ ପାଣି ଛାଡିଥିବା ଅଭିଯୋଗ କରିଛି ପାକିସ୍ତାନ । ପାକିସ୍ତାନର ଚାକୋଠି ବର୍ଡରରୁ ମୁଜାଫରବାଦ ଯାଏ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୁରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଅପରେସନ । 

ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ଯୋଗୁ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଏପଟେ ଝେଲମ୍‌ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ମିଳିନି । ତେବେ ତଥ୍ୟ ମୁତାବକ ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁ ପାଣି ଛାଡିବା ଜରୁରୀ ଥିଲା । 

ତେବେ ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିବା ଆଶଙ୍କା କରାଯାଉଛି । ପାକିସ୍ତାନର ଅଧିକାରୀମାନେ ଏହାକୁ ନିନ୍ଦା କରିବା ସହ ସିନ୍ଧୁ ଜଳ ଚୁକ୍ତିନାମାର ଉଲ୍ଲଂଘନ ବୋଲି କହିଛନ୍ତି । ସେପଟେ ଭାରତର କୁଟନୈତିକ କଟକଣା ପରେ ବିଳିବିଳାଇଲେ ପାକିସ୍ତାନ ମନ୍ତ୍ରୀ । ପରମାଣୁ ଯୁଦ୍ଧ ନେଇ ଦେଲେ ଧମକ ।  ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ  ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏଥିରେ ପାକିସ୍ତାନର ହାତ ଥିବା ଦାବି କରିଥିଲା ଭାରତ । ବଦ୍‌ଲା ସ୍ବରୂପ ଭାରତ ଅନେକ ପଦକ୍ଷେପ ନେଇଛି । ସେଥିରୁ ଗୋଟିଏ ହେଉଛି ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.