News7 Logo

ବର୍ଷା ସାଜିଲା ବାଧକ, ସଡକ ପଥରେ କଲେ ଦେଢ ଘଣ୍ଟାର ଯାତ୍ରା; ମଣିପୁରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପର ଝଲକ

NEWS7
car

​​​​​​​ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଣିପୁର ପହଞ୍ଚିଥିଲେ । ଆଜିର ଗସ୍ତ ବେଳେ ତାଙ୍କର ଦୃଢ଼ସଂକଳ୍ପର ଝଲକ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଇମ୍ଫାଲ୍ ଏୟାରପୋର୍ଟରେ ଲ୍ୟାଣ୍ଡ ବେଳେ ସେଠାରେ ପ୍ରବଳ ବର୍ଷା ହେଉଥିଲା । ପାଗ ଏତେ ଖରାପ ଥିଲା ଯେ ଚୁଡାଚାନ୍ଦପୁର ଯାଏ ତାଙ୍କ ହେଲିକପ୍ଟର ଉଡାଣକୁ ରଦ୍ଦ କରିବାକୁ ପଡ଼ିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସଡ଼କପଥରେ ଚୁଡାଚନ୍ଦପୁର ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ପିଏମ୍ ମୋଦୀଙ୍କ କହିବା କଥା ଥିଲା, ସେ ଲୋକମାନଙ୍କୁ ଭେଟିବେ ଓ ତାଙ୍କ ସହ କଥା ହେବେ । ଖରାପ ପାଗ ଏଥିରେ ବାଧା ହୋଇପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଇମ୍ଫାଲରୁ ଚୁଡାଚାନ୍ଦପୁରକୁ ସଡକ ପଥରେ ଯିବା ପାଇଁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗେ ।

ଉଲ୍ଲେଖଯୋଗ୍ୟ ଯେ ଶନିବାର ମଣିପୁରରେ ପ୍ରବଳ ବର୍ଷା ହୋଇଛି । ଇମ୍ଫାଲର କାଙ୍ଗଲା କିଲ୍ଲାର କିଛି ସ୍ଥାନରେ ପାଣି ଆଣ୍ଠୁ ଯାଏ ରହିଥିଲା । ଏଠାରେ ହିଁ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଚୁଡାଚାନ୍ଦପୁରରେ ବି ପ୍ରବଳ ବର୍ଷା ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ଲୋକଙ୍କୁ ଭେଟିବା ପାଇଁ ସେଠାରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଜୀ ଚୁଡାଚାନ୍ଦପୁର ପିସ୍ ଗ୍ରାଉଣ୍ଡରେ ଲୋକଙ୍କୁ ଭେଟିଥିଲେ ।

୨୦୨୩ ମେ’ରେ ଆରମ୍ଭ ହୋଇଥିବା ଜାତିଗତ ହିଂସା ପରେ ନିଜ ପ୍ରଥମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଶାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଦ୍ୱାରା ଦୁଇ ସଂଘର୍ଷରତ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏଠାରେ ହିଂସା ହୋଇଛି । ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଭାରତ ସରକାର ଆପଣଙ୍କ ସହ ଅଛନ୍ତି ଓ ମୁଁ ଆପଣଙ୍କ ସହ ଅଛି ।

ପ୍ରଧାନମନ୍ତ୍ରୀ କହିଥିଲେ, 'ମୁଁ ସବୁ ଗୋଷ୍ଠୀ ଓ ସଂଗଠନକୁ ଶାନ୍ତି ମାର୍ଗ ବାଛିବା ପାଇଁ ଅପିଲ୍ କରୁଛି । ବିକାଶ ପାଇଁ ଶାନ୍ତି ସର୍ବୋପରି ଅଟେ ଓ କେନ୍ଦ୍ର ସରକାର ଏହାକୁ ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ରେଲୱେ ଓ ରୋଡ୍ ସହ ଜଡ଼ିତ ପରିଯୋଜନା ପାଇଁ ବଜେଟ୍ ଆବଣ୍ଟନରେ ବୃଦ୍ଧି କରିଛନ୍ତି । ୨୦୨୪ ପରଠୁ ମଣିପୁରରେ ସ୍ଥିତି ସୁଧାଇବା ପାଇଁ ବିଶେଷ ଗୁରୁତ୍ୱ ଦେଇଛି । ଭାରତ ଖୁବଶୀଘ୍ର ଦୁନିଆର ତୃତୀୟ ବୃହତ ଅର୍ଥନୀତ ଦେଶ ପାଲଟିବ । ବିକାଶର ଲାଭ ଦେଶର ପ୍ରତିଟି କୋଣରେ ଯେପରି ପହଞ୍ଚିବ ତାହା ସୁନିଶ୍ଚିତ କରିବା ଆମ ଦାୟିତ୍ୱ ।'