ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଏସସିଓ ଶିଖର ସମ୍ମିଳନୀ ପାଇଁ କଲେ ଆମନ୍ତ୍ରଣ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତିୟାନଜିନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପିଏମଓ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ଉପରେ ଜୋର ଦେଇଥିଲେ । ଏହାସହ ସୀମା ବିବାଦର ନିରପେକ୍ଷ, ଉଚିତ୍ ଓ ପାରସ୍ପାରିକ ରୂପେ ଗ୍ରହଣୀୟ ସମାଧାନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୱାଙ୍ଗ ୟି ଭାରତରେ ନିଜ ସମକକ୍ଷ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧିଙ୍କ ୨୪ତମ ବୈଠକ ବାବାଦରେ ସକାରାତ୍ମକ ମତ ରଖିଥିଲେ ।

ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, 'ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ଖୁସି । ଗତ ବର୍ଷ କଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଭାରତ-ଚୀନ ସମ୍ପର୍କରେ ପରସ୍ପର ହିତ ଓ ସମ୍ୱେଦନଶୀଳତା ପ୍ରତି ସମ୍ମାନରେ ନିରନ୍ତର ପ୍ରଗତି ହୋଇଛି । ମୁଁ ସଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଆମର ପରିବର୍ତ୍ତୀ ସାକ୍ଷାତକୁ ଉତ୍ସାହ ସହ ଅପେକ୍ଷା କରିଛି । ଭାରତ ଓ ଚୀନ ମଧ୍ୟରେ ସ୍ଥିର, ବିଶ୍ୱସନୀୟ ଓ ରଚନାତ୍ମକ ସମ୍ପର୍କ କ୍ଷେତ୍ରୀୟ ଓ ବୈଶ୍ୱିକ ଶାନ୍ତି ଏବଂ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।'

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ, ଏନ୍‌ଏସ୍‌ଏ ଅଜିତ୍ ଡୋଭାଲଙ୍କ ନିମନ୍ତ୍ରଣରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏନ୍‌ଏସ୍‌ଏଙ୍କ ସହ ଭାରତ ଓ ଚୀନ ମଧ୍ୟରେ ସୀମା ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ସହ ୨୪ତମ ବାର୍ତ୍ତାର ସହ-ଅଧ୍ୟକ୍ଷତା କରିଥିଲେ । ଏହାସହ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ମିଳତ ହିତର ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.