ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ, ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶପ୍ରେମର ମାହୋଲ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ ୧୫/୦୮: ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୨ଥର ପାଇଁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନମୋ । ଏଥର, ସାରା ଦେଶରୁ ମନୋନୀତ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୫ଟି ଗାଁର ସରପଞ୍ଚଙ୍କୁ ଉତ୍ସବରେ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ଗ୍ରାମୀଣ ଭାରତରେ ପରିମଳ, ନିରାପଦ ପାନୀୟ ଜଳ, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସରପଞ୍ଚମାନଙ୍କୁ ସମ୍ମାନିତ କରାଯିବ । 

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସମସ୍ତ ମନୋନୀତ ପଞ୍ଚାୟତକୁ ଓଡିଏଫ୍ ପ୍ଲସ୍ ଏବଂ ଜଳ ଜୀବନ ମିଶନ ଅଧୀନରେ ହର ଘର ଜଳ ଗ୍ରାମ ଘୋଷଣା କରାଯାଇଛି । ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୧ ହଜାରରୁ ଅଧିକ ସୁରକ୍ଷା କର୍ମୀ ଏବଂ ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିୟୋଜିତ ହୋଇଛନ୍ତି । ଉଚ୍ଚ କୋଠାଗୁଡ଼ିକରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି । ତଦାରଖ ଦଳଗୁଡ଼ିକ ଛାତ ଉପରୁ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବେ । 

ଡ୍ରୋନ୍-ବିରୋଧୀ ୟୁନିଟ୍, ସିସି ଟିଭି କ୍ୟାମେରା, ମୁହଁ ଚିହ୍ନଟ ବ୍ୟବସ୍ଥା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ଏବଂ ପ୍ରଥମ ଥର ପାଇଁ, ଯାନବାହନ ତଳେ ନିରୀକ୍ଷଣ ବ୍ୟବସ୍ଥା ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି । ଯେକୌଣସି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ପାଇଁ ପାଞ୍ଚଟି ପାର୍କିଂ ସ୍ଥାନରେ ଯାନର ତଳ ପାର୍ଶ୍ୱ ଯାଞ୍ଚ କରାଯିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.