ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଘୋଷଣା କଲେ ’ମିଶନ ସୁଦର୍ଶନ ଚକ୍ର’

Published By : Prameya-News7 Bureau | August 15, 2025 IST

ଭୁବନେଶ୍ୱର ୧୫/୦୮: ଆଜି ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲଗାତାର ଭାବେ ଏହା ତାଙ୍କର ୧୨ତମ ସମ୍ବୋଧନ ଏବଂ ଦୀର୍ଘ ସମୟର ଭାଷଣ ଦେବାରେ ରେକର୍ଡ କରିଛନ୍ତି ମୋଦୀ । ଆଜି ସାରା ଦେଶକୁ ସମ୍ବୋଧନ କରିବା କ୍ରମରେ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଲାଲକିଲ୍ଲାରୁ ଘୋଷଣା କରିଛନ୍ତି 'ମିଶନ ସୁଦର୍ଶନ ଚକ୍ର’। 

ମୋଦୀ କହିଛନ୍ତି ’ଦେଶ ପାଇଁ ମୁଁ ସଙ୍କଳ୍ପ ନେଇଛି । ଏଥିପାଇଁ ମୋତେ ଦେଶବାସୀଙ୍କ ଆଶୀର୍ବାଦ ଲୋଡ଼ା । କାରଣ ସମୃଦ୍ଧି ଯେତେ ହେଉନା କାହିଁକି ଯଦି ସୁରକ୍ଷା ନାହିଁ ତାହେଲେ ଏହାର କିଛି ମହତ୍ତ୍ୱ ରହିବନି । ମୁଁ ଲାଲକିଲ୍ଲାରୁ କହୁଛି ଆସନ୍ତା ୧୦ ବର୍ଷ ଅର୍ଥାତ୍ ୨୦୩୫ ଯାଏଁ ରାଷ୍ଟ୍ରର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯେପରିକି ହସ୍ପିଟାଲ, ରେଲୱେ ଓ ସାମରିକ ସ୍ଥଳମାନଙ୍କରେ ସୁରକ୍ଷା କଡ଼ାକଡ଼ି ହେବ । 

ନୂଆ ଟେକ୍ନୋଲୋଜି ଦ୍ୱାରା ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା କବଚ ସୃଷ୍ଟି ହେବ । ଫଳରେ ଦେଶର ପ୍ରତି ନାଗରିକ ନିଜକୁ ସୁରକ୍ଷିତ ମଣିବେ । ଶତ୍ରୁ ଦେଶ ଯେତେବି ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କରୁ କିନ୍ତୁ ପରାହତ କରିବାକୁ ଭାରତର ଟେକ୍ନୋଲୋଜି ତାକୁ ପରାହତ କରିବାକୁ ସମର୍ଥ ହେବ’।

ମୋଦୀ ଆହୁରି ମଧ୍ୟ କହିଛନ୍ତି 'ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରକୁ ଆମେ ମାର୍ଗଦର୍ଶକ ଭାବେ ବାଛିଛୁ । ଯେବେ ମହାଭାରତ ଯୁଦ୍ଧ ହେଉଥିଲା ଶ୍ରୀକୃଷ୍ଣ ନିଜ ସୁଦର୍ଶନ ଚକ୍ରରେ ସୂର୍ଯ୍ୟଙ୍କ କିରଣକୁ ରୋକି ଦେଇଥିଲେ ଏବଂ ଦିନରେ ହିଁ ରାତିର ଅନ୍ଧକାର ସୃଷ୍ଟି କରିଥିଲେ । ଫଳରେ ଜୟଦ୍ରଥକୁ ମାରିବାକୁ ଅର୍ଜୁନ କରିଥିବା ଶପଥ ପୂରଣ ହୋଇପାରିଥିଲା । 

ଏସବୁ  ସୁଦର୍ଶନ ଚକ୍ର ପାଇଁ ସମ୍ଭବ ହୋପାରିଥିଲା । ଏବେ ଭାରତ ବର୍ଷ 'ମିଶନ ସୁଦର୍ଶନ ଚକ୍ର’ ଲଞ୍ଚ କରିବାକୁ ଯାଉଛି । ଏହି ସୁଦର୍ଶନ ଚକ୍ର ଏକ ମହାଶକ୍ତିଶାଳୀ ୱିପନ୍ ସିଷ୍ଟମ୍ ଶତ୍ରୁର ଆକ୍ରମଣକୁ ଟାର୍ଗେଟ୍ କରିବା ସହ ଶତ୍ରୁ ଉପରେ ପାଲଟା ଆକ୍ରମଣ କରିବ । ଏହି ମିସନକୁ ୧୦ ବର୍ଷ ଭିତରେ ସାକାର କରିବା ସହ ବିସ୍ତୃତ କରାଯିବ । 

ଏହାର ନିର୍ମାଣଠାରୁ ଆରମ୍ଭ କରି ପୂରା ରିସର୍ଚ୍ଚ ଦେଶରେ ହିଁ ହେବ । ଏହାକୁ ’ପ୍ଲସ୍ ୱାନ୍’ ନୀତି ଉପରେ ନିର୍ମାଣ କରାଯିବ । ଯେପରି ସୁଦର୍ଶନ ଚକ୍ରର ଏକ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ରହୁଥିଲା ଏବଂ ସେ ସେହି ପର୍ଯ୍ୟନ୍ତ ଯାଇ ପୁଣି ଫେରିଆସୁଥିଲା ଭାରତ ବର୍ଷ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସୁଦର୍ଶନ ଚକ୍ର ଭଳି ଟାର୍ଗେଟ ଆଧାରରେ ଆଗକୁ ବଢ଼ିବ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.