ପିଏମ୍ ଧନ-ଧାନ୍ୟ କୃଷି ଯୋଜନାକୁ କେନ୍ଦ୍ରର ମଞ୍ଜୁରି, ପ୍ରତିବର୍ଷ ଖର୍ଚ୍ଚ ହେବ ୨୪୦୦୦ କୋଟି, ଲାଭବାନ ହେବେ ୧.୭ କୋଟି ଚାଷୀ

Published By : Prameya-News7 Bureau | July 16, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩୬ ଯୋଜନାକୁ ମିଶାଇ ପ୍ରତିବର୍ଷ ୨୪୦୦୦ କୋଟି ଟଙ୍କା ବ୍ୟୟବରାଦ ସହ ପ୍ରଧାନମନ୍ତ୍ରୀ ଜନ-ଧାନ୍ୟ କୃଷି ଯୋଜନାକୁ ମଞ୍ଜୁରି ଦେଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସରକାର ଏନ୍‌ଏଲ୍‌ସିଆଇଏଲ୍‌କୁ ନବୀକରଣ ଉର୍ଜାରେ ନିବେଶ ପାଇଁ ୭ ହଜାର କୋଟି ଟଙ୍କା ମଞ୍ଜୁରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାବିନେଟ୍ ଏନ୍‌ଟିପିସିକୁ ନବୀକରଣ ଉର୍ଜାରେ ନିବେଶ ପାଇଁ ୨୦,୦୦୦ କୋଟି ଟଙ୍କା କ୍ଷମତାକୁ ମଞ୍ଜୁରି ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟ୍ ବୁଧବାର ଛଅ ବର୍ଷ ଅବଧି ପାଇଁ ପ୍ରଧାନମନ୍ତ୍ରୀ ଜନ-ଧାନ୍ୟ କୃଷି ଯୋଜନାକୁ ମଞ୍ଜୁରି ଦେଇଛି । ଏହା ଅଧିନରେ ପ୍ରତିବର୍ଷ ୨୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ମୁଖ୍ୟତଃ କୃଷି କ୍ଷେତ୍ରରେ ପଛୁଆ ୧୦୦ ଜିଲ୍ଲାଙ୍କୁ ସାମିଲ କରାଯିବ । କେନ୍ଦ୍ରୀୟ ବଜେଟ୍‌ରେ ଘୋଷିତ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କାର୍ଯ୍ୟକାରୀ ଥିବା ୩୬ ଯୋଜନାର ମିଶ୍ରଣ କରିବ । ଏହାଦ୍ୱାରା ସଫଳ ବିବିଧତା ଓ ସ୍ଥାୟୀ କୃଷି ପଦ୍ଧତି ଆପଣାଇବାରେ ସାହାଯ୍ୟ କରିବ ।

ନିଷ୍ପତ୍ତି ବାବଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ସଫଳ ହେବା ପରେ ଫସଲର ସଂରକ୍ଷଣ ହୋଇପାରିବ, ଜଳ ସେଚନ ସୁବିଧା ମିଳିବ ଓ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମରେ ୧.୭ କୋଟି ଚାଷୀଙ୍କୁ ସିଧା ଲାଭ ପହଞ୍ଚିବ ।'

ସରକାର ବୁଧବାର ଏନ୍‌ଏଲସି ଇଣ୍ଡିଆକୁ ନିଜର ପୂର୍ଣ୍ଣ ମାଲିକାନାରେ ଥିବା ଏନ୍‌ଆଇଆର୍‌ଏଲ୍‌ରେ ୭ ହଜାର କୋଟି ଟଙ୍କା ନିବେଶ ପାଇଁ ଅନୁମତି ଦେଇଛନ୍ତି । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ମାମଲାର ମନ୍ତ୍ରିମଣ୍ଡଳ ସମିତି ଦ୍ୱାରା ନିଆଯାଇଛି । ଏହା ଅଧିନରେ ଏନ୍‌ଆଇଆର୍‌ଏଲ୍ ବିଭିନ୍ନ ପରିଯୋଜନାରେ ସିଧାସଳଖ କିମ୍ୱା ଜଏଣ୍ଟ ଭେଞ୍ଚର ଗଠନ କରି ନିବେଶ କରିପାରିବ । ଏଥିପାଇଁ ନିବେଶ ପୂର୍ବ ମଞ୍ଜୁରି ଆବଶ୍ୟକତା ପଡ଼ିବ ନାହିଁ ।

କେନ୍ଦ୍ର ସରକାର ସାର୍ବଜନୀନ କ୍ଷେତ୍ରର ଏନଟିପିସିକୁ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍ କ୍ଷମତା ହାସଲ ଦିଗରେ ପାଇଁ ନବୀକରଣ ଉର୍ଜା କ୍ଷମତାକୁ ବଢାଇବା ଲାଗି ୨୦ ହଜାର କୋଟି ଟଙ୍କା ଯାଏ ନିବେଶ ଅନୁମତି ଦେଇଛନ୍ତି । ପୂର୍ବରୁ ନିବେଶର ନିର୍ଦ୍ଧାରିତ ସୀମା ୭,୫୦୦ କୋଟି ଟଙ୍କା ଥିଲା । ସରକାର କହିଛନ୍ତି ଯେ ଏନ୍‌ଟିପିସି ଓ ଏନ୍‌ଜିଇଏଲ୍‌କୁ ଦିଆଯାଇଥିବା କ୍ଷମତା ଦେଶରେ ନବୀକରଣ ପରିଯୋଜନାର ତ୍ୱରିତ ବିକାଶରେ ସହାୟକ ହେବ । ଏହି ପଦକ୍ଷେପ ବିଜୁଳି ଭିତ୍ତିଭୂମି ମଜଭୁତ କରିବା ଓ ୨୪ ଘଣ୍ଟା ବିଜୁଳି ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିବ । ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କ ମହାକାଶଯାତ୍ରା ଉପରେ ଏକ ପ୍ରସ୍ତାବ ପାରିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.