‘ରିପୋର୍ଟ କିପରି ଲିକ୍ ହେଲା ?’, ପ୍ଲେନ୍ କ୍ରାସ୍ ତଦନ୍ତ ରିପୋର୍ଟ ଉପରେ ପାଇଲଟ୍ ସଂଘର ଆପତ୍ତି

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ସାମନାକୁ ଆସିଛି । ଶୁକ୍ରବାର ରାତିରେ ତଦନ୍ତର ପ୍ରାଥମିକ ରିପୋର୍ଟ ସାମନାକୁ ଆସିବା ପରେ ଏୟାରଲାଇନ୍ ପାଇଲଟ୍ ଆସୋସିଏସନ (ଏଏଲପିଏ) ଚିନ୍ତା ପ୍ରକାଶ କରିଛି । ଶନିବାର ଏଏଲପିଏ ଅଧ୍ୟକ୍ଷ ସାମ୍ ଥମସ୍ ଏକ ବୟାନରେ ତଦନ୍ତକୁ ସମାଲୋଚନା କରିଛନ୍ତି । ଏହାସହ ରିପୋର୍ଟରେ ପାଇଲଟ୍‌ଙ୍କୁ ଦୋଷୀ କରାଯାଇଥିବା ଦାବି ସେ କରିଛନ୍ତି । 

ALPA ଇଣ୍ଡିଆର ସଭାପତି ସାମ ଥମାସ୍ ଏକ ବିବୃତ୍ତିରେ କହିଛନ୍ତି, 'ତଦନ୍ତର ସ୍ୱର ଏବଂ ଦିଗ ପାଇଲଟ୍ ତ୍ରୁଟି ପ୍ରତି ପକ୍ଷପାତକୁ ସୂଚାଇଛି । ଆମେ ଏହି ଅନୁମାନକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଏକ ନିରପେକ୍ଷ, ତଥ୍ୟ-ଭିତ୍ତିକ ତଦନ୍ତ ପାଇଁ ଜୋର ଦେଉଛୁ।' ଏହାସହ ସଂଘ ତଦନ୍ତରେ ପାରଦର୍ଶିତାର ଅଭାବ ଆଡ଼କୁ ଇଙ୍ଗିତ କରିଛି ।

ଥମସ୍ ବିବୃତ୍ତିରେ କହିଛନ୍ତି, 'ବିମାନ ଦୁର୍ଘଟଣା ବ୍ୟୁରୋ (AAIB) ପାଇଲଟ୍‌ଙ୍କୁ ଅନ୍ଧାରର ରଖି ପ୍ରାଥମିକ ରିପୋର୍ଟ ମିଡିଆ ସହ ସେୟାର କରିଛି । ଆମେ ପୁଣି ଥରେ ଏହି ତଦନ୍ତର ଗୋପନୀୟତା ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛୁ ।' ଏଏଲପିଏ ଜୁଲାଇ ୧୦, ୨୦୨୫ର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ଆର୍ଟିକଲର ଉଲ୍ଲେଖ କରିଛି, ଯେଉଁଥିରେ ଦାବି କରାଯାଇଥିଲା ଯେ ଇଞ୍ଜିନ୍ ଫ୍ୟୁଏଲ କଣ୍ଟ୍ରୋଲ୍ ସ୍ୱିଚ୍ ଅଜାଣତରେ ବନ୍ଦ ହେବା କାରଣରୁ ଦୁର୍ଘଟଣା ହୋଇଛି ।

ଏଭଳି ସମ୍ୱେଦନଶୀଳ ସୂଚନା ପ୍ରେସ୍ ଯାଏ କିପରି ପହଞ୍ଚିଲା ବୋଲି ଏଏଲପିଏ ପ୍ରଶ୍ନ ଉଠାଇଛି । ସଂଘ କହିଛି, 'ଆମେ ଆଶ୍ଚର୍ଯ୍ୟ, ଏତେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବିନା କୌଣସି ଦାୟିତ୍ୱବାନ ବ୍ୟକ୍ତିଙ୍କ ହସ୍ତାକ୍ଷର ବିନା ମିଡିଆକୁ କିପରି ଦିଆଗଲା । ଏହି ସବୁକୁ ଦୃଷ୍ଟିରେ ରଖି ଆମକୁ ବି ପର୍ଯ୍ୟବେକ୍ଷକ ଭାବେ ସାମିଲ କରିବା ପାଇଁ କ୍ଷମତାଶୀନ ଅଧିକାରୀଙ୍କୁ ଅନୁରୋଧ କରୁଛୁ । ଯାହା ଦ୍ୱାରା ତଦନ୍ତରେ ପାରଦର୍ଶିତା ରହିପାରିବ ।'

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଏୟାର ଇଣ୍ଡିଆ ବିମାନ AI୧୭୧ର ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ଗୋଟିଏ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା । ଯାହା ଫଳରେ କକ୍‌ପିଟ୍‌ରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ଉଡ଼ାଣ ଭରିବା ପରେ ବିମାନଟି ଖସି ପଡ଼ିଥିଲା । ୧୫ ପୃଷ୍ଠାର ରିପୋର୍ଟରେ କୁହାଯାଇଛି ଯେ କକପିଟ୍ ଭଏସ୍ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ପଚାରିଥିଲେ ଯେ କାହିଁକି ଇନ୍ଧନ ବନ୍ଦ କରିଛନ୍ତି, ଯାହାର ଜବାବରେ ଅନ୍ୟ ଜଣେ କହିଥିଲେ ମୁଁ ଇନ୍ଧନ କାଟି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.