ନୂଆଦିଲ୍ଲୀ- ହିମାଚଳ ପ୍ରଦେଶର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ସୋମବାର ପଞ୍ଜାବ ବିଶ୍ୱବିଦ୍ୟାଳୟର ସହାୟିକା ପ୍ରଫେସର ଅମରୀନ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ମନ୍ତ୍ରୀ ଗୁରୁଦ୍ୱାରାରେ ବିବାହ ଉତ୍ସବ ପରେ ମିଡ଼ିଆକୁ କହିଛନ୍ତି ଯେ, ଏହା ମୋ ଜୀବନରେ ଏକ ନୂଆ ଅଧ୍ୟାୟର ଆରମ୍ଭ। ବିବାହ ଉତ୍ସବରେ ସିଂହଙ୍କ ନିକଟତମ ସଂପର୍କୀୟ ଓ ବନ୍ଧୁ ସାମିଲ ହୋଇଥିଲେ। ରୀତିନୀତି ପରେ , ଦମ୍ପତି ସିମଲା ଅଭିମୁଖେ ଯାତ୍ରା କରିଥିଲେ। ସିମଲା ଜିଲ୍ଲାର ବୁଶାହର ରାଜ୍ୟର ରାଜପରିବାରର ୩୫ ବର୍ଷିୟ ବିକ୍ରମାଦିତ୍ୟଙ୍କର ଏହା ଦ୍ୱିତୀୟ ବିବାହ। ସେ ଛଅ ଥର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହ ଏବଂ ହିମାଚଳ ପ୍ରଦେଶ କଂଗ୍ରେସ ୟୁନିଟ୍‌ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ପୁଅ।

ବିକ୍ରମାଦିତ୍ୟ ପୂର୍ବରୁ ରାଜସ୍ଥାନର ଏକ ପୂର୍ବତନ ରାଜପରିବାରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସେମାନେ ୨୦୧୯ ମସିହାରେ ବିବାହ କରିଥିଲେ । ଗତ ବର୍ଷ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। 

ଅମରିନ କୌର ମନୋବିଜ୍ଞାନରେ ପିଏଚଡି କରିଛନ୍ତି। ସେ ଏବେ ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି। ଅମରିନ କୌର ପଞ୍ଜାବ-ହରିଆଣା ହାଇକୋର୍ଟର ବରିଷ୍ଠ ଓକିଲ ଜୋତିନ୍ଦର ସିଂହ ସିଖୋନଙ୍କ ଝିଅ। ତାଙ୍କର ମାଆଙ୍କ ନାଁ ଓପିନ୍ଦର କୌର। ଅମରିନ କୌର ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପଢିଛନ୍ତି। ସେ ଦୁଇ ଥର ମାଷ୍ଟର ଡିଗ୍ରୀ ହସଲ କରିଛନ୍ତି। ତାଙ୍କର ଲେଖାପଢାରେ ବହୁତ ସଉକ। ସେ ନିଜର ଅଧିକାଂଶ ସମୟ ବହି ଲେଖିବା ଓ ପଢିବାରେ ବିତାଇଥାନ୍ତି। ଅମରିନ ଜଣେ ଲେଖିକା । ସେ ଅନେକ ପୁସ୍ତକ ଲେଖିଛନ୍ତି। ବିକ୍ରମାଦିତ୍ୟ ତାଙ୍କର ଜଣେ ପୁରୁଣା ବନ୍ଧୁ।

୧୭ ଅକ୍ଟୋବର , ୧୯୮୯ରେ ଜନ୍ମିତ ବିକ୍ରମାଦିତ୍ୟ ସିଂହ ନିଜର ପିତାଙ୍କ ସମୃଦ୍ଧ ରାଜନୈତିକ ପରମ୍ପରାକୁ ଆଗକୁ ନେଉଛନ୍ତି। ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା , ସେ ବର୍ତ୍ତମାନରେ ହିମାଚଳ ପ୍ରଦେଶ ବିଧାନସଭାରେ ଶିମଲା ଗ୍ରାମୀଣ ନିର୍ବାଚନ କ୍ଷେତ୍ରର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ ପବ୍ଲିକ୍‌ ୱାର୍କ୍ସ ଓ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିର୍ବାହ କରୁଛନ୍ତି।