ଦଇବ ଏ କି ଦୁଃଖ ଦେଲ; ରୋଜଗାରିଆ ତ ରୋଗ ଶଯ୍ୟାରେ, କେମିତି ଚଳିବ ଘର ?

NEWS7
passengers-jump-off-pushpak-express-after-rumour-of-a-fire

ବାଲେଶ୍ୱର : ପରିବାରରେ ୬ସଦସ୍ୟ, କିନ୍ତୁ ରୋଜଗାରିଆ ଥିଲେ ବାପା-ପୁଅ। ପରିବାର ବୋଝ ସମ୍ଭାଳି ଆସୁଥିବା ୨ଜଣ ଏବେ ରୋଗ ଶଯ୍ୟାରେ । କେମିତି ଚଳିବ ପରିବାର...କେମିତି ହେବ ଚିକିତ୍ସା... ସରକାରଙ୍କ ଆୟୁଷ୍ମାନ କାର୍ଡର ସମସ୍ତ ଅର୍ଥ ଶେଷ ହୋଇ ସାରିଛି। ଓଳିଏ ଖାଇଲେ ଓଳିଏ ଉପାସ। ଏଭଳି କଷଟି ପଥରରେରେ ପେଶି ହେଉଛନ୍ତି ପୂରା ପରିବାର। ଏ ଦୁଃଖ ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ ବଗଡ଼ ଗାଁରେ। ସେଠାରେ ରୁହନ୍ତି ଅଭିମନ୍ୟୁ ଦାସ, ବୟସ ୭୭। ପ୍ରାୟ ୧୫ ବର୍ଷ ହେବ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଅନ୍ୟପଟେ ଘରର ଦାୟିତ୍ୱ ତୁଲାଇ ଆସୁଥିବା ଏକ ମାତ୍ର ରୋଜଗାରିଆ ପୁଅ ପ୍ରଦୀପ। ସେ ବି ପ୍ରାୟ ୬ ମାସ ହେବ ଶଯ୍ୟାଶାୟୀ। ଏକ ମାରାତ୍ମକ ରୋଗରେ ସେ ଆକ୍ରାନ୍ତ। ଘରେ ବୃଦ୍ଧା ମା ନିବେଦିତା, ସ୍ତ୍ରୀ ସୁଷମା ଏବଂ ଦୁଇ ପୁଅ ଶୁଭମ ଓ ପ୍ରିତମଙ୍କ ପରିସ୍ଥିତି କଥା କହିଲେ ନସରେ । ସମ୍ପତ୍ତି କହିଲେ ୪ଡିସିମିଲର କେବଳ ଘର ଡିହ...। ପ୍ରଦୀପ ମୂଲ ଲାଗି ପରିବାର ପ୍ରତିପୋଷ ପୋଷଣ କରି ଆସୁଥିଲେ । ମାତ୍ର ହଠାତ ସେ ରୋଗ ଶଯ୍ୟାରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ିବା ପରେ ୬ ପ୍ରାଣୀଙ୍କୁ ଉପବାସରେ ଦିନ ବିତାଇବାକୁ ପଡ଼ୁଛି। ଧାରକରଜ କରି ସ୍ତ୍ରୀ ସୁଷମା ପଦୀପଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ କରାଇ ଥିଲେ ମଧ୍ୟ ନିୟମିତ ଔଷଧ ଦେବା ଅସମ୍ଭବ ହୋଇପଡ଼ିଛି । ଏବେ ମାସକୁ ପ୍ରାୟ ୬ରୁ ୭ହଜାର ଟଙ୍କା ଔଷଧ ଖର୍ଚ୍ଚର ଆବଶ୍ୟକତା । ଯାହା ତୁଲାଇବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି।

ଅଭିମନ୍ୟୁଙ୍କୁ ମିଳୁଥିବା ମାସକୁ ୧ହଜାର ଭତ୍ତା ଟଙ୍କା ବ୍ୟାଙ୍କ ଜମା ଖାତାକୁ ଯାଉଥିବାରୁ ପକ୍ଷାଘାତ ସମସ୍ୟା ପାଇଁ ଉଠାଇବା କଷ୍ଟକର। ତାଙ୍କ ପତ୍ନୀ ନିବେଦିତାଙ୍କ ବୟସ ୬୦ ଛୁଇଁଥିଲେ ବି ଏପର୍ଯ୍ୟନ୍ତ ମିଳିନି ଭତ୍ତା । ପ୍ରଦୀପଙ୍କ ବଡ଼ ପୁଅ ବଗଡ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନପୁଅ ପଞ୍ଚମରେ। ସେମାନଙ୍କୁ ଟ୍ୟୁସନ ଦେବାକୁ ମାଆଙ୍କ ନିକଟରେ ସମ୍ବଳ ନାହିଁ । ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲେ ବି ତାକୁ ସମ୍ପୂର୍ଣ୍ଣ କରିବା ଅସମ୍ଭବ ହୋଇ ପଡ଼ିଛି। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳରେ ଭାତ ଗଣ୍ଡେ ହେଉଛି ସିନା ମାତ୍ର ପନିପରିବା ଆଣିବା କିନ୍ତୁ ସମ୍ଭବ ହେଉନି । ପରିବାରର ଏଭଳି ପରିସ୍ଥିତିକୁ ଲକ୍ଷ୍ୟ କରି ଗାଁର ମହିଳାମାନେ ସରକାରୀ ସହାୟତା ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି। ସେପଟେ ଖବରପାଇ ବାରବାଟିଆ ସରପଞ୍ଚ ବାସୁଦେବ ମହାନ୍ତି ପୀଡ଼ିତ ପରିବାର ପାଖରେ ପହଞ୍ଚିଛନ୍ତି । ବୃଦ୍ଧା ନିବେଦିତା ଓ ପ୍ରଦୀପକୁ ଭତ୍ତା ଯୋଗାଇ ଦେବାକୁ ଉଦ୍ୟମ କରିବେ ବୋଲି ପ୍ରତି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ପରିବାର ଏପରି ଅବସ୍ଥା ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିବା ପରେ କିଛି ବଦାନ୍ୟ ବ୍ୟକ୍ତି ଓ କିଛି ସଂଗଠନ ସାହାଯ୍ୟର ହାତ ବଢ଼ାଇଛନ୍ତି। ଅନ୍ୟପଟେ ସରକାରୀ ସହାୟିତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର । ତେବେ ଏଭଳି ପରିବାରଙ୍କ ଉପରେ ସରକାରଙ୍କ ଦୃଷ୍ଟି କେବେ ପଡୁଛି ତାକୁ ହିଁ ଅପେକ୍ଷା ।