LIVE TV

ସାଉଦି ଆରବରେ ‘କଫାଲା ସିଷ୍ଟମ’ ଶେଷ, ମହମ୍ମଦ ବିନ୍ ସଲମାନଙ୍କ ବଡ଼ ନିଷ୍ପତ୍ତି; ୨୫ ଲକ୍ଷ ଭାରତୀୟଙ୍କୁ ଆଶ୍ୱସ୍ତି

NEWS7
parents-went-to-human-rights-commission-regarding-wrong-treatment-of-doctor

ନୂଆଦିଲ୍ଲୀ: ସାଉଦି ଆରବ ଆନୁଷ୍ଠାନିକ ଭାବେ ୫୦ ବର୍ଷ ପୁରୁଣା କଫାଲା (ସ୍ପନସରଶିପ) ସିଷ୍ଟମକୁ ଶେଷ କରିଛି । ଏହି ବ୍ୟବସ୍ଥାକୁ ଆଧୁନିକ ଯୁଗର ଗୁଲାମୀ କୁହାଯାଉଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ବିଦେଶୀ କର୍ମଚାରୀଙ୍କ ଉପରେ ସେମାନଙ୍କ ନିଯୁକ୍ତିଦାତାଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ରହୁଥିଲା । ଏପରିକି ସେମାନଙ୍କ ପାସପୋର୍ଟ ମଧ୍ୟ ନିଜ ପାଖରେ ରଖିପାରୁଥିଲେ ଓ କେବେ ଚାକିରି ବଦଳାଇ ପାରିବେ ଏବଂ ଦେଶ ଛାଡ଼ି ପାରିବେ ତାହା ମଧ୍ୟ ନିଷ୍ପତ୍ତି ନେଉଥିଲେ ।

ଏହି ନିଷ୍ପତ୍ତି ଦ୍ୱାରା ୨୫ ଲକ୍ଷ ଭାରତୀୟଙ୍କ ସମେତ ପ୍ରାୟ ୧୩ ନିୟୁତ ବିଦେଶୀ ଶ୍ରମିକଙ୍କୁ ବଡ଼ ଆଶ୍ୱସ୍ତି ଦେବ । ଏହି ନିଷ୍ପତ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ "ଭିଜନ୍ ୨୦୩୦" ସଂସ୍କାର ଯୋଜନାର ଏକ ଅଂଶ ଅଟେ । ସାଉଦି ଆରବର ବୈଶ୍ୱିକ ଛବିକୁ ସୁଧାରିବା ଏବଂ ବିଦେଶୀ ନିବେଶକୁ ଆକର୍ଷିତ କରିବା ହେଉଛି ଭିଜନ୍ ୨୦୩୦ର ଲକ୍ଷ୍ୟ ।

୧୯୫୦ ଦଶକରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ମୂଳତଃ ବିଦେଶୀ ଶ୍ରମିକଙ୍କ ଉପରେ ନଜର ରଖିବା ପାଇଁ କରାଯାଇଥିଲା । ପ୍ରତ୍ୟେକ ବିଦେଶୀ ଶ୍ରମିକଙ୍କୁ ଗୋଟିଏ କଫିଲ୍ ସହ ଯୋଡ଼ା ଯାଉଥିଲା, ଯିଏ ସେମାନଙ୍କ ନିଯୁକ୍ତି, ମଜୁରୀ ଏବଂ ରହିବା ସ୍ଥାନ ମଧ୍ୟ ନିୟନ୍ତ୍ରଣ କରୁଥିଲା । ସବୁଠାରୁ ଚିନ୍ତାର କଥା ଥିଲା, କଫିଲ୍ ଅନୁମତି ନ ଦେବା ପର୍ଯ୍ୟନ୍ତ ଶ୍ରମିକମାନେ ତାଙ୍କ ଉପରେ ହେଉଥିବା ଅତ୍ୟାଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିପାରୁ ନଥିଲେ ।

ଏହି ବ୍ୟବସ୍ଥାରେ ମହିଳାମାନେ ସବୁଠାରୁ ଦୟନୀୟ ସ୍ଥିତିର ସାମନା କରୁଥିଲେ । ଅନେକ ଭାରତୀୟ ମହିଳା ଶାରୀରିକ ଏବଂ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି । ୨୦୧୭ ମସିହାରେ ଗୁଜରାଟ ଏବଂ କର୍ଣ୍ଣାଟକର ମହିଳାଙ୍କ ପ୍ରତି ଅମାନବୀୟ ବ୍ୟବହାର ମାମଲାରେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ହିଁ ସମାଧାନ ହୋଇଥିଲା । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଭଳି ସଂଗଠନ ଏହାକୁ ମାନବ ଚାଲାଣ ଭାବେ ବର୍ଣ୍ଣନା କରିଥିଲା ।

ଅନ୍ତର୍ଜାତୀୟ ଚାପ, ମାନବାଧିକାର ସଂଗଠନର ରିପୋର୍ଟ ଏବଂ ବିଦେଶୀ ନାଗରିକଙ୍କ ଅସନ୍ତୋଷ ଏହି ନିଷ୍ପତ୍ତି ପଛର ପ୍ରମୁଖ କାରଣ । ଶେଷରେ କ୍ରାଉନ୍ ପ୍ରିନ୍ସ ଦେଶର ପ୍ରତିଷ୍ଠା ଏବଂ ନିବେଶ ପରିବେଶକୁ ଉନ୍ନତ କରିବା ପାଇଁ କଫାଲା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି, କୁଏତ, ଓମାନ, ଲେବାନନ ଏବଂ କତାର ଭଳି ଦେଶରେ ଏହି ସିଷ୍ଟମ ଏବେ ବି ରହିଛି ।