୨୨ ମାସ ସଂଘର୍ଷରେ ୧୮୦ ରିପୋର୍ଟରଙ୍କୁ ହତ୍ୟା, ଅନ୍ତର୍ଜାତୀୟ ସାମ୍ୱାଦିକଙ୍କୁ ମନା; ଗାଜା ସ୍ଥିତି ଦୁନିଆକୁ ଅଜଣା

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ: ଗାଜାରେ ହମାସ୍ ସହ ଇସ୍ରାଏଲର ସଂଘର୍ଷ ଜାରି ରହିଛି । ଗାଜା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ନେତାନ୍ୟାହୁ ସମସ୍ତ ଉଦ୍ୟମ କରୁଛନ୍ତି । ଏହାରି ଭିତରେ ଇସ୍ରାଏଲ୍ ଗାଜାରେ ଦୁଇ ପ୍ରକାର ଅଭିଯାନ କରୁଥିବା ଥିଓରି ସାମନାକୁ ଆସୁଛି । ଗୋଟିଏ ଗାଜା ଷ୍ଟ୍ରିପର ସାମରିକ ନିୟନ୍ତ୍ରଣ ପାଇଁ; ଅନ୍ୟଟି ସେଠାରେ କ’ଣ ଘଟୁଛି ତାହା ବିଶ୍ୱ ନଜରରୁ ଦୂରେଇ ରଖିବାର । 

ଥିଓରି ଅନୁସାରେ, ଗାଜାରେ ଅନାହାର, ଗଣହତ୍ୟା ଏବଂ ଅନ୍ୟାନ୍ୟ ଇସ୍ରାଏଲୀ ଯୁଦ୍ଧ ଅପରାଧର ତଥ୍ୟ ଉପସ୍ଥାପନ କରୁଥିବା ପାଲେଷ୍ଟାଇନୀ ସାମ୍ବାଦିକ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସୁରକ୍ଷିତ ନାଗରିକ । କିନ୍ତୁ ଏହି କାଗଜରେ ମିଳୁଥିବା ସୁରକ୍ଷା ଗାଜାରେ ବାସ୍ତବିକତାଠାରୁ ବହୁ ଦୂରରେ । ସାମ୍ୱାଦିକଙ୍କ ପାଇଁ ହୁଏତ ଦୁନିଆର ସବୁଠୁ ଅସୁରିକ୍ଷତ ସ୍ଥାନ ପାଲଟିଛି । କମିଟି ଟୁ ପ୍ରଟେକ୍ଟ ଜର୍ଣ୍ଣାଲିଷ୍ଟ ଅନୁସାରେ, ଯୁଦ୍ଧ ଆରମ୍ଭର ୨୨ ମାସ ଭିତରେ ୧୮୦ରୁ ଅଧିକ ସାମ୍ୱାଦିକଙ୍କ ଇସ୍ରାଏଲ୍ ଆକ୍ରମଣରେ ମୃତ୍ୟୁ ହୋଇଛି । 

ସାମ୍ୱାଦିକଙ୍କୁ ଟାର୍ଗେଟ୍ କରିବା ବେଆଇନ ହେବା ସତ୍ତ୍ୱେ ଗତ ୨୨ ମାସରେ ୨୬ ଜଣ ସାମ୍ୱାଦିକଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଛି । ନିକଟରେ ଅଲ୍ ଜଜିରାର ୨୮ ବର୍ଷୀୟ ସାମ୍ୱାଦିକ ଅନାସ୍ ଅଲ୍ ସାରିଫ୍‌ ହତ୍ୟା ପରେ ଏହା ଏବେ ବିଶ୍ୱରେ ଆଲୋଚନାର ଏକ ପ୍ରସଙ୍ଗ ପାଲଟିଛି । ପ୍ରେସ୍ ସ୍ୱାଧୀନତା ଗୋଷ୍ଠୀ ଏବଂ ସାମ୍ବାଦିକଙ୍କ ଅନୁସାରେ, ଏହି ହତ୍ୟାକାଣ୍ଡଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟିଂକୁ ବନ୍ଦ କରିବା ପାଇଁ ଭୟଭୀତ କରିବାର ଏକ ଅଭିଯାନର ଅଂଶ । କିନ୍ତୁ ଇସ୍ରାଏଲ୍ ଏହି ହତ୍ୟାଗୁଡ଼ିକୁ ଯଥାର୍ଥ କରିବା ପାଇଁ ଟାର୍ଗେଟଗୁଡ଼ିକ ଗୁପ୍ତ ହମାସ ଲଢ଼ୁଆ ଥିଲେ ବୋଲି କହିଆସୁଛି ।

ଗାଜାରେ ସ୍ୱାଧୀନ ରିପୋର୍ଟିଂ କରିବା ପାଇଁ ଅନ୍ତର୍ଜାତୀୟ ରିପୋର୍ଟରମାନଙ୍କୁ ବାରଣ କରାଯାଇଛି । ଏହି କାରଣୁ ଇସ୍ରାଏଲୀ ସାମରିକ ସୁରକ୍ଷା ଅଧୀନରେ କିଛି ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କୁ ମୁକ୍ତ ଭାବରେ ବୁଲିବା କିମ୍ବା ପାଲେଷ୍ଟାଇନ ନାଗରିକମାନଙ୍କ ସହ କଥା ହେବାକୁ ଅନୁମତି ନାହିଁ । ଗାଜାରେ ସାମ୍ବାଦିକମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିପିଜେ ମୁଖ୍ୟ କାର୍ଯ୍ୟକାରୀ, ‘ଜୋଡି ଗିନ୍ସବେର୍ଗ କହିଛନ୍ତି, ଗାଜାରେ ଘଟୁଥିବା ଘଟଣାଗୁଡ଼ିକୁ ଯେପରି ଦୁନିଆ ସାମନାକୁ ନଆସିବ ସେଥିପାଇଁ ଇସ୍ରାଏଲ ରଣନୀତି ଅଧିନରେ ସାମ୍ୱାଦିକଙ୍କୁ ହତ୍ୟା କରୁଛି । ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.