LIVE TV

ଏଫିଲ୍ ଟାୱାର ଉପରେ ପାଲେଷ୍ଟାଇନ୍ ପତାକା, ବ୍ରିଟେନ୍ ବଦଳାଇଲା ମ୍ୟାପ୍...ଇସ୍ରାଏଲକୁ ନେଇ ୟୁରୋପରେ ହଇଚଇ

NEWS7
isreal

​​​​​​​ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ମାନ୍ୟତା ଦେବାର କିଛି ଘଣ୍ଟା ପରେ ବ୍ରିଟେନ ନୂଆ ମ୍ୟାପ୍ ଜାରି କରିଛି । ଏହି ମ୍ୟାପ୍‌ରେ ପାଲେଷ୍ଟାଇନକୁ ଅଲଗା ଦେଶ ଦର୍ଶାଯାଇଛି । ଇସ୍ରାଏଲର ପଡ଼ୋଶୀ ଦେଶ ଭାବରେ ଏହାକୁ ସ୍ଥାନିତ କରାଯାଇଛି । ସେହିପରି ଫ୍ରାନ୍ସର ରାଜଧନୀ ପ୍ୟାରିସର ପ୍ରସିଦ୍ଧ ଏଫିଲ୍ ଟାୱାର ଉପରେ ପାଲେଷ୍ଟାଇନ୍ ପାତାକା ଲଗାଯାଇଛି । ଫ୍ରାନ୍ସରେ ଭାଇରାଲ୍ ହେଉଥିବା ଭିଡିଓରେ ଗୋଟିଏ ପଟେ ପାଲେଷ୍ଟାଇନ୍ ଓ ଅନ୍ୟପଟେ ଇସ୍ରାଏଲ୍ ପତାକା ନଜର ଆସୁଛି । ଏହା ପ୍ରଥମ ଥର ଯେତେବେଳେ ଜାତିସଂଘ ବୈଠକ ପୂର୍ବରୁ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ପ୍ରସଙ୍ଗ ପୂରା ୟୁରୋପରେ ଛାଇ ହୋଇ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ ଏବଂ ପର୍ତ୍ତୁଗାଲ, ପାଲେଷ୍ଟାଇନକୁ ଏକ ଅଲଗା ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛନ୍ତି । ଏହି ଚାରିଟି ଦେଶର ସମର୍ଥନ ପାଲେଷ୍ଟାଇନ ପ୍ରସଙ୍ଗରେ ଇସ୍ରାଏଲକୁ ଏକ ବଡ଼ ଝଟକା ଦେଇଛି । ବର୍ତ୍ତମାନ ଅଧିକାଂଶ ୟୁରୋପୀୟ ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ଏହା ବ୍ୟତୀତ ଜାତିସଂଘର ପାଞ୍ଚ ସ୍ଥାୟୀ ସଦସ୍ୟ ମଧ୍ୟରୁ ଚାରି ଜଣ ପାଲେଷ୍ଟାଇନକୁ ଏକ ଅଲଗା ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛନ୍ତି । କେବଳ ଆମେରିକା ପାଲେଷ୍ଟାଇନକୁ ବିରୋଧ କରୁଛି । ଏହି ଚାରି ସ୍ଥାୟୀ ସଦସ୍ୟ ବ୍ୟତୀତ ୧୫୦ରୁ ଅଧିକ ଦେଶ ପାଲେଷ୍ଟାଇନକୁ ସେମାନଙ୍କର ମାନ୍ୟତା ଘୋଷଣା କରିଛନ୍ତି । ସାଉଦି ଆରବ ଏବଂ ଫ୍ରାନ୍ସ ଏହି ଅଧିବେଶନରେ ହିଁ ପାଲେଷ୍ଟାଇନ ସହ ଜଡିତ ବିଲ୍ ଜାତିସଂଘରେ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ୧୯୪୮ରୁ ଯୁଦ୍ଧ ଚାଲିଛି । ଜେରୁସଲେମର ପବିତ୍ର ଅଲ୍-ଆକସା ମସଜିଦ ଏବଂ ଭୂମିକୁ ନେଇ ବିବାଦ ରହିଛି । ଆମେରିକା ସମର୍ଥନରେ ଇସ୍ରାଏଲ୍, ପାଲେଷ୍ଟାଇନରେ ନିଜର ବିସ୍ତାର କରୁଛି । ଏହାର ମୁକାବିଲା ପାଇଁ, ସାଉଦି ଆରବ ଟୁ ଷ୍ଟେଟ୍ ଥିଓରୀ ଆଗକୁ ବଢାଇଛି । ସାଉଦି ଆରବ କହିଛି ଯେ ଦୁଇ ଦେଶ ମଧ୍ୟରେ ସୀମା ସମାଧାନ ଏବଂ ପାଲେଷ୍ଟାଇନ ଏକ ରାଷ୍ଟ୍ର ହେବା ପରେ ହିଁ ବିବାଦର ଅନ୍ତ ହେବ । ବର୍ତ୍ତମାନ ପାଲେଷ୍ଟାଇନରେ କୌଣସି ସରକାର ନାହିଁ । ହମାସ ପ୍ରଶାସନକୁ ନିୟନ୍ତ୍ରଣ କରିଆସୁଛି । ହମାସକୁ ଇରାନର ଏକ ଛଦ୍ମ ସଂଗଠନ ଭାବରେ ବିବେଚନା କରାଯାଏ ।