ନୂଆଦିଲ୍ଲୀ: ଭାରତ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର। ସେ କହିଛନ୍ତି ଯେ ଭାରତ ବିନା ଉସୁକାଇ ଦୁଇଟି ଆକ୍ରମଣ କରିଥିଲା। ଏହା ଭାରତର ରଣନୈତିକ ଦୂରଦୃଷ୍ଟିର ଅଭାବ ଥିଲା। କରାଚୀରେ ଥିବା ପାକିସ୍ତାନ ନୌସେନା ଏକାଡେମୀରେ ଭାଷଣ ଦେଇ, ମୁନିର ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଁ ଭାରତକୁ ଦାୟୀ କରିଛନ୍ତି। ଏବଂ ଭବିଷ୍ୟତରେ ଭାରତର ଯେକୌଣସି ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେବାକୁ ସେ ଶପଥ ନେଇଛନ୍ତି।
ସେହିପରି ପାକିସ୍ତାନକୁ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାକାରୀ ବୋଲି କହିବା ସହ ଭାରତ ଯେଉଁ ବିନା ଉସ୍କାଇ ଆକ୍ରମଣ କରିଥିଲା ଇସ୍ଲାମାବାଦ ମଧ୍ୟ ଏହାର ଦୃଢ଼ତାର ସହ ଜବାବ ଦେଇଥିଲା ବୋଲି ସେ କହିଛନ୍ତି। ମୁନୀର କହିଛନ୍ତି ଯେ ଭାରତ ଉକ୍ସାଇବା ସତ୍ତ୍ୱେ, ପାକିସ୍ତାନ ସଂଯମତା ଏବଂ ପରିପକ୍ୱତା ପ୍ରଦର୍ଶନ କରି ଆଞ୍ଚଳିକ ଶାନ୍ତି ପ୍ରତି ତାର ପ୍ରତିବଦ୍ଧତାକୁ ଦୋହରାଇଛି।" ମୁନିର ଦାବି କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ବିଲୋପ ନିକଟତର ହେଉଥିବା ବେଳେ ଭାରତ ଜାଣିଶୁଣି ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।
ସେହିପରି କାଶ୍ମୀର କଥା ଉଠାଇ ମୁନିର ଭାରତର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି ଏପରି ସମୟରେ, ଆମକୁ ଭାରତର ଅବୈଧ ଦଖଲ ବିରୁଦ୍ଧରେ ସଂଘର୍ଷ କରୁଥିବା ଆମର କାଶ୍ମୀର ଭାଇମାନଙ୍କ ବଳିଦାନକୁ ମନେ ରଖିବାକୁ ପଡିବ। ପାକିସ୍ତାନ ଜାତିସଂଘର ପ୍ରସ୍ତାବ ଏବଂ କାଶ୍ମୀର ଲୋକଙ୍କ ଆକାଂକ୍ଷା ଅନୁସାରେ କାଶ୍ମୀର ସମସ୍ୟାର ନ୍ୟାୟସଙ୍ଗତ ସମାଧାନ ପାଇଁ ଏକ ଦୃଢ଼ ସମର୍ଥକ ବୋଲି ମୁନୀର କହିଛନ୍ତି।
ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ଅଧିଂକାଶ ପର୍ଯ୍ୟଟକ ଥିଲେ। ଏହି ଆକ୍ରମଣ ପୂର୍ବରୁ ମୁନିର କହିଥିଲେ କାଶ୍ମୀର ଆମର ଗଳାଶିରା; ଏହା ଆମର ଗଳାଶିରା ହୋଇ ରହିବ। ଆମେ ଏହାକୁ ଭୁଲିବୁ ନାହିଁ। ବିଦେଶରେ ଥିବା ପାକିସ୍ତାନୀ ପ୍ରବାସୀଙ୍କୁ ସମ୍ବୋଧିତ କରି ମୁନିର ଏପରି କହିଥିଲେ।