ନ୍ୟୁୟର୍କ ୧୨।୯: ମାତ୍ର ୪ ସେକେଣ୍ଡ ଓ ଗୋଟିଏ ବାକ୍ୟ ପାକିସ୍ତାନ ବୈଶ୍ୱିକ ମଞ୍ଚରେ ଅପଦସ୍ଥ ହୋଇଛି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ କତାରରେ ହମାସ ରାଜନୈତିକ ନେତୃତ୍ୱକୁ ଟାର୍ଗେଟ୍ କରି ନିକଟରେ ଇସ୍ରାଏଲ ର ଆକ୍ରମଣକୁ ନେଇ ଚର୍ଚ୍ଚା ହେଉଥିଲା। ମାନବାଧିକାର ଓକିଲ ତଥା ୟୁଏନ ୱାଚ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ହିଲେଲ ନୁୟର କତାର ଉପରେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବାର ଅଭିଯୋଗ କରିଥିଲେ। ସେ ଏହି ଉପସାଗରୀୟ ଦେଶ ଉପରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଆଣିଥିଲେ।

ଏହି ସମୟରେ ନୁୟର ଇସ୍ରାଏଲକୁ ନିନ୍ଦା କରିବା କାରଣରୁ ଜାତି ସଂଘ ପ୍ରମୁଖଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ ସ୍ମରଣ କରାଇଦେଇଥିଲେ ଯେ  ଯେତେବେଳେ ଆମେରିକା ଅଲ-କାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ପାକିସ୍ତାନରେ ହତ୍ୟା କଲା, ସେତେବେଳେ ଜାତିସଂଘର ତତ୍କାଳୀନ ମୁଖ୍ୟ କହିଥିଲେ ଯେ ‘ନ୍ୟାୟ ହୋଇଗଲା’। ତେବେ ପାକିସ୍ତାନ ପ୍ରତିନିଧି ପ୍ରସଙ୍ଗରେ ପାକିସ୍ତାନର ନାମ ଉତ୍ଥାପନ କରାଯିବା ଓ ଲାଡେନର ନାମ ନିଆଯିବାରୁ ଅସନ୍ତୋଷ ପ୍ରକାଶ କରି ନୁୟରଙ୍କୁ ମଝିରେ ଅଟକାଇ ଦେଇଥିଲେ।

ପାକିସ୍ତାନ ପ୍ରତିନିଧି ୟୁଏନଏଚଆରସି ଅଧ୍ୟକ୍ଷଙ୍କୁ କୌଣସି ବକ୍ତା ଜାତିସଂଘ ଚାର୍ଟରର ସିଦ୍ଧାନ୍ତ ଓ ସାର୍ବଭୌମ ସସଦ୍ୟ ଦେଶଙ୍କ ଆଞ୍ଚଳିକ ଅଖଣ୍ଡତା ଯେପରି ଉଲ୍ଲଂଘନ ନ ହୁଏ ତାହା ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ କହିଥିଲା ଆମେ ନିରାଧାର ଆରୋପ ଲଗାଇବାର ବିରୋଧ କରୁଛୁ। ତେବେ ୟୁଏନଏଚଆରସି ଅଧ୍ୟକ୍ଷ ନୁୟରଙ୍କୁ ତାଙ୍କ ବକ୍ତବ୍ୟ ଜାରି ରଖିବାକୁ ଇସାରା କରିଥିଲେ ଓ କହିଥିଲେ ତାଙ୍କ ଭାଷଣ ଶେଷ କରିବାକୁ ଆଉ ମାତ୍ର ୪ ସେକେଣ୍ଡ ଅଛି।

ପ୍ରସିଦ୍ଧ ଓକିଲ ନୁୟର ଏହି ୪ ସେକେଣ୍ଡର ତୁରନ୍ତ ସଦୁପଯୋଗ କରିଥିଲେ। କହିଥିଲେ ଅଧ୍ୟକ୍ଷ ମହୋଦୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ପାକିସ୍ତାନ ଆଉ ଏକ ଦେଶ। ସେ ଏହାକୁ ଉଗ୍ର ରୂପେ ଗର୍ଜନ କରି କହିଥିଲେ। ଏଣୁ ଭରା ସଭାରେ ପାକିସ୍ତାନୀ ପ୍ରତିନିଧିଙ୍କୁ ଲାଞ୍ଛିତ ହେବାକୁ ପଡିଥିଲା। କିଛି ସମୟ ପୂର୍ବରୁ ନିଜ ଦେଶର ନା ଉଠିବାରୁ ବିରୋଧ କରିଥିବା ପ୍ରତିନିଧି ମୁହଁ ଚୁପ କରି ବସି ରହିବାକୁ ବାଧ୍ୟ ହୋଇଥିଲେ।