ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତର ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ହେଁ ସଂପର୍କ ଏବେ ବି ତିକ୍ତ ରହିଛି। ଏସବୁ ଭିତରେ ଆସନ୍ତାମାସରେ ଭାରତରେ ଖେଳା ଯିବାକୁ ଥିବା ଏସିଆ କପ୍ ପାଇଁ ଭାରତ ଆସିବ ପାକିସ୍ତାନର ହକି ଦଳ। ଏ ନେଇ ଗୁରୁବାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହା ସହ ଗୃହ ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ଯାହା ପରେ ପାକିସ୍ତାନ ହକି ଦଳର ଏସିଆ କପ୍ ଓ ଜୁନିୟର ହକି ଦଳ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଆସିବାର ପଥ ପରିଷ୍କାର ହୋଇଛି।
ପାକିସ୍ତାନ ପକ୍ଷରୁ ପ୍ରକାଶ ଯେ, ଆମେ କୌଣସି ବି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତରେ କୌଣସି ଦଳ ବିପକ୍ଷରେ ଖେଳିବାରେ ଆପତ୍ତି ନାହିଁ। ମାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଭିନ୍ନ ପ୍ରସଙ୍ଗ ରହିଛି। ଉଲ୍ଲେଖନୀୟ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଖେଳାଯିବ।
Also read: କାର ଦୁର୍ଘଟଣାରେ ଫୁଟବଲ ଷ୍ଟାରଙ୍କ ମୃତ୍ୟୁ, ୧୦ ଦିନ ତଳେ ହୋଇଥିଲା ବିବାହ
ଅପରେସନ ସିନ୍ଦୂର ଓ ଦୁଇ ଦେଶ ମଧ୍ୟରେ ଯୁଦ୍ଧ କାରଣରୁ ଏସିଆ କପ୍ରେ ପାକିସ୍ତାନ ଦଳର ଭାଗ ନେବା ନେଇ ସନ୍ଦେହ ରହିଥିଲା। ତେବେ ଏସିଆ କପ୍ ବ୍ୟତୀତ ନଭେମ୍ବର-ଡିସେମ୍ବରରେ ଭାରତରେ ଖେଳା ଯିବାକୁ ଥିବା ଜୁନିୟର ବିଶ୍ଵକପ୍ ପାଇଁ ପାକିସ୍ତାନ ଦଳକୁ ମଧ୍ୟ ଅନୁମତି ଦିଆଯିବ ବୋଲି ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହକି ଇଣ୍ଡିଆର ସଂପାଦକ ଭୋଲା ନାଥ ସିଂ ପାକିସ୍ତାନ ଦଳର ଭାରତ ଆସିବା ନେଇ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, ଆମେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହିଁ କାମ କରିବୁ। ସରକାର ଯାହା ସ୍ଥିର କରିବେ ସେହି ଅନୁସାରେ ଆମେ ଆଗକୁ ବଢିବୁ। ଭୋଲା ନାଥଙ୍କ ଏହି ବୟାନରେ ସ୍ପଷ୍ଟ ହୋଇଛି ଯେ, ହକି ଇଣ୍ଡିଆ କୌଣସି ବି ରାଜନୈତିକ କିମ୍ବା କୂଟନୈତିକ ନିଷ୍ପତ୍ତିରେ ହସ୍ତକ୍ଷେପ କରିବ ନାହିଁ ଏବଂ ସଂପୂର୍ଣ୍ଣ ଭାବେ ସରକାରଙ୍କ ନିର୍ଦ୍ଦେଶର ପାଳନ କରିବ।
ଅନ୍ୟପଟେ ଟି-୨୦ ଏସିଆ କପ୍ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇପାରେ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୪ କିମ୍ବା ୫ ତାରିଖରୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଖେଳା ଯାଇପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି। ଏସିଆ କପ୍ ଚୂଡ଼ାନ୍ତ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଶୀଘ୍ର ଘୋଷଣା ହେବ। ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇକୁ ନିରପେକ୍ଷ ଭେନ୍ୟୁ ଭାବେ ବ୍ୟବହାର କରାଯିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ସେପ୍ଟେମ୍ବର ୭ରେ ଦୁବାଇରେ ଖେଳାଯାଇପାରେ।