ବାଲେଶ୍ୱର ୧୭/୦୭: ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ଏହାରି ଭିତରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏଥିରେ ବାମପନ୍ଥୀଙ୍କ ସମେତ ୮ଦଳ ସାମିଲ ହୋଇଛନ୍ତି ।
ବିରୋଧୀ ଦଳଗୁଡ଼ିକ ଗୁରୁବାର ଯାନବାହନ ଚଳାଚଳ, ଦୋକାନବଜାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି । ତେବେ ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ । ଏହାକୁ ନେଇ ପୋଲିସ ସଜାଗ ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ ଟୁଇନ୍ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ତଦନୁଯାୟୀ ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ଏଆଇ କ୍ୟାମେରା ଓ ଡ୍ରୋନ୍ ନଜର ରଖିବ । ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଚେତାବନୀ ଦେଇଛନ୍ତି । ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ କଡ଼ା ସୁରକ୍ଷା ବଳୟରେ ରହିଥିବାବେଳେ ଛକ, ବଜାର, ସରକାରୀ କାର୍ଯ୍ୟାଳୟରେ ସଶସ୍ତ୍ର ପୋଲିସ ମୁତୟନ ରହିଛନ୍ତି ।