LIVE TV

ସୁପର-୪ରେ ପାକିସ୍ତାନର ଲଢୁଆ ବ୍ୟାଟିଂ, ଭାରତ ସାମ୍ନାରେ ୧୭୨ ରନ ଟାର୍ଗେଟ୍

NEWS7
IND vs PAK

ଦୁବାଇ: ସୁପର-୪ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ୫୮ ରନର ଇନିଂସ ଖେଳିଥିବା ବେଳେ ଅନ୍ୟ ବ୍ୟାଟର ଛୋଟ ଛୋଟ ଭାଗିଦାରୀ କରିବାରୁ ପାକିସ୍ତାନ ଏହି ସ୍କୋରରେ ପହଞ୍ଚି ପାରିଛି। ଭାରତ ସାମ୍ନାରେ ରହିଛି  ୧୭୨ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଶିବମ ଦୁବେ ସଫଳ ବୋଲର ଭାବେ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଆଜିର ମକାବିଲାରେ ଯଶପ୍ରୀତ ବୁମରା ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ​​​​​​​

​​​​​​​ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୧ ରନରେ ଫଖର ଜମାନ(୧୫)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସାହିବଜାଦା ଫରହାନ ଓ ସୈମ ଆୟୁବ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ଫରହାନ  ଯଶପ୍ରୀତ ବୁମରାଙ୍କୁ ଟାର୍ଗେଟ୍ କରିଥିଲେ। ସେ ଦ୍ରୁତ ବ୍ୟାଟିଂ କରି ଆୟୁବଙ୍କ ସହ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡ଼ି ବିଶାଳ ରନ ସ୍କୋରର  ମୂଳଦୁଆ ପକାଇଥିଲେ। ୯୩ ରନ ସ୍କୋରରେ ଆୟୁବ(୨୧ ରନ)ଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିବା ସହ ଭାରତୀୟ ଦଳକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତୀୟ ଦଳ ସଅଳ ୨ ଓ୍ଵିକେଟ୍ ନେଇ ପାକିସ୍ତାନକୁ ବ୍ୟାକଫୁଟକୁ ଠେଲିଥିଲେ। ହୁସେନ ତଲତ ୧୦ ରନ କରି କୁଲଦୀପଙ୍କ ଶିକାର ହୋଇଥିଲେ।

ତେବେ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଶାହିବଜାଦା ଫରହାନଙ୍କୁ ଆଉଟ୍ କରି ଶିବମ ଦୁବେ ଭାରତକୁ ବଡ଼ ସଫଳତା ଦେଇଥିଲେ। ଫରହାନ ୪୫ ବଲରୁ ୫ ଚୌକା ଓ ୩ ଛକା ସହ ୫୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଏକଦା ୧୦ ଓଭରରେ ୯୦ ରନ କରିଥିବା ପାକିସ୍ତାନ ପରବର୍ତ୍ତୀ ୬ ଓଭରରେ ରନ ଗତି ଧିମେଇ ଯାଇଥିଲା। ସାମ ଆୟୁବ ୨୧ ରନ ଓ ହୁସେନ ତଲତ ୧୦ ରନ କରିଥିଲେ। ଶେଷ ଆଡ଼କୁ ମହମ୍ମଦ ନଓ୍ଵାଜ ୨୧ ରନ, ଅଧିନାୟକ ସଲମାନ ଆଗା ଅପରାଜିତ ୧୭ ରନ ଓ ଫହିମ ଅଶ୍ରଫ  ୮ ବଲରୁ ଦ୍ରୁତ ୨୦ ରନ କରିଥିଲେ। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ବୋଲିଂରେ ଭାରତ ପକ୍ଷରୁ ଶିବମ ଦୁବେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ କୁଲଦୀପ ଓ ହାର୍ଦ୍ଦିକ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।